ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ଆଜି ହୋଇପାରେ ନିଷ୍ପତ୍ତି

267

କନକ ବ୍ୟୁରୋ : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌ ହୋଇଛି । ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରହିବା ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି । ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ପରୀକ୍ଷା କରାଯିବ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଗତ ବର୍ଷେ ହେଲା କରୋନା କାଳରେ ସିବିଏସ୍‌ଇ ଯେଉଁ ନିଷ୍ପତ୍ତି ନେଉଛି, ରାଜ୍ୟ ସରକାର ତାହାକୁ ଅନୁକରଣ କରିଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟ ସରକାର ଦଶମ ପରୀକ୍ଷା ବାତିଲ୍‌ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବାର ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ମିଳିଛି। ତେବେ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ଥିବାରୁ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଥିବାରୁ ସ୍ଥାନୀୟ ସରକାର ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ ଓ ଉତ୍ତର ପ୍ରଦେଶ ସରକାର ରାଜ୍ୟର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବର୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ସିବିଏସ୍‌ଇ ନିଷ୍ପତ୍ତି ପରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ମଧ୍ୟ ସମାନ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସଂକ୍ରମଣ କେଉଁଭଳି ଭାବେ ବଢ଼ୁଛି ତାହା ଉପରେ ନଜର ରଖିବା ସହ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ପରିସ୍ଥିତିକୁ ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ଏହିସବୁ ରାଜ୍ୟ ସରକାରମାନେ କହିଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଶା ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଉଭୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଏବେ ବି ଜାରି ‌ରହିଛି। ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲ କ୍ୟାମ୍ପସରେ ସଂକ୍ରମଣ ସେତେଟା ବୃଦ୍ଧି ପାଇ ନାହିଁ । ସାମାଜିକ ଦୂରତା ଓ କୋଭିଡ୍‌ କଟକଣା ମଧ୍ୟରେ ପାଠପଢ଼ା ଚାଲିଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଲାଗି ପ୍ରସ୍ତୁତି ଚଲାଇଛ ନ୍ତି। କରୋନାକୁ ଦୃଷ୍ଟିରେ ରଖି ଏଥର ନିଜ ନିଜ ସ୍କୁଲରେ ମାଟ୍ରିକ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ୩୩୦୦ରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯିବା ସହ ସବୁଠି ସିସିଟିଭି ଲଗାଇବା ଦିଗରେ ପଦକ୍ଷେପ ନିଆଯାଇଛି । ପ୍ରାୟ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବାରୁ ପରୀକ୍ଷା କେନ୍ଦ୍ର ଓ ହଲ୍‌ଗୁଡ଼ିକରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବାକୁ ସ୍ଥିର ହୋଇଛି ।

ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ, ଅବଜରଭର୍‌ ଓ ସ୍କ୍ବାଡ୍‌ ସଦସ୍ୟଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟକୁ ଗୁରୁତ୍ବ ଦିଆଯିବ। ପରୀକ୍ଷା ଚାଲିଥିବା ସମୟରେ ଯଦି କୌଣସି ପରୀକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ପରୀକ୍ଷା ପରିଚାଳନାରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯିବ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଯେପରି କରୋନା କଟକଣା ଠିକ୍‌ ଭାବେ ପାଳନ ହୁଏ, ସେଥିପାଇଁ ଜିଲ୍ଲା ଓ ବ୍ଲକସ୍ତରରେ ଅଧିକାରୀମାନଙ୍କୁ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

ସେହିପରି ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ୨ ପରୀକ୍ଷା ପାଇଁ ବି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ଜୋରଦାର ‌ଚାଲିଛି। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ବ୍ୟବସ୍ଥା କରିବାକୁ ଗତ ସପ୍ତାହରେ କଲେଜଗୁଡ଼ିକୁ ନିର୍ଦେଶ ଦିଆଯିବା ପରେ ସେମାନେ ପଦକ୍ଷେପ ନେଇଛନ୍ତି। ମେ’ ୧୮ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସମସ୍ତ ପରୀକ୍ଷା କେନ୍ଦ୍ର, ଉପ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)ରେ ୨୫ ତାରିଖ ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଛି । ଚଳିତ ମାସ ଶେଷ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସେଲ୍ଫ ଫାଇନାନ୍ସିଂ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡ଼ିକ ୨୫ ତାରିଖ ସୁଦ୍ଧା ଲାବରେଟାରିଗୁଡ଼ିକରେ ସିସିଟିଭି ସଂଯୋଗ କରିବାକୁ ନିର୍ଦେଶ ଦିଆଯାଇଛି  ଏଭଳି ପ୍ରସ୍ତୁତି ଚାଲିଥିବା ବେଳେ ପରୀକ୍ଷା ହେବ କି ନାହିଁ ଦ୍ବନ୍ଦ୍ବା‌ତ୍ମକ ପରିସ୍ଥିତି ସୃଷ୍ଟି କରିଛି ।

ସିବିଏସ୍‌ଇ ନିଷ୍ପତ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ମଧ୍ୟରେ ଆଲୋଚନା‌ ଜାରି ରହିଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ସିବିଏସ୍‌ଇ ସମେତ କେତେକ ରାଜ୍ୟ ସରକାର ପରୀକ୍ଷା ସ୍ଥଗିତ ରଖିଥିବାରୁ ଓଡ଼ିଶା ସରକାର ବି ସେହି ପନ୍ଥା ଆପଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଯେଉଁଥିପାଇଁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ବ୍ୟାପକ ଆଲୋଚନା ହେବ। ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଉପସ୍ଥିତ ରହିବେ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।