କାନାଡାରେ ଥିବା ପ୍ରବାସୀଙ୍କ ପାଇଁ ଆଡଭାଇଜରୀ ଜାରିକଲା କେନ୍ଦ୍ର। ସତର୍କ ରହିବାକୁ ପରାମର୍ଶ ଦେଲେ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା।

115

କନକ ବ୍ୟୁରୋ: ଭାରତ ସରକାର କାନାଡାରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏନେଇ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, କାନାଡାରେ ହେଟ୍ କ୍ରାଇମ, ଭାରତ ବିରୋଧୀ ଗତିବିଧିର ଘଟଣା ସାମ୍ନାକୁ ଆସୁଛି । ଦ୍ରୁତଗତିରେ ଏହା ବଢିବାରେ ଲାଗିଛି । ବିଦେଶ ମନ୍ତ୍ରାଳୟ ଏବଂ କାନାଡାରେ ଥିବା ବାଣିଜ୍ୟିକ ଦୂତାବାସ ଏହି ଘଟଣାକୁ ନେଇ ତତ୍ପର ହୋଇଛି । ଏହି ଅପରାଧର ଯାଞ୍ଚ କରିବା ସହ ଉଚିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହିଭଳି ଅପରାଧୀଙ୍କୁ କାନାଡାରେ କାଠଗଡାକୁ ଟଣାଯାଇପାରିନାହିଁ ।

ଭାରତ ସରକାରଙ୍କ ଆଡଭାଇଜରୀ ଅନୁସାରେ, ବଢୁଥିବା ଅଘଟଣ ତଥା ଅପରାଧିକ ଗତିବିଧିକୁ ଦେଖି ଭାରତୀୟ ନାଗରିକ ତଥା କାନାଡାରେ ଥିବା ଭାରତୀୟ ଛାତ୍ର, ଯାତ୍ରୀ ସତର୍କ ରୁହନ୍ତୁ । କାନାଡାରେ ଥିବା ଭାରତୀୟମାନେ ଓଟାବାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ, ଟରାଣ୍ଟୋ କିମ୍ବା ଭାଙ୍କୋଭରରେ ଥିବା ଭାରତୀୟ ମହାବାଣିଜ୍ୟିକ ଦୂତାବାସ ସହସମ୍ପର୍କରେ ରହିଥାନ୍ତୁ । ସାହାର୍ଯ୍ୟ ପାଇଁ ମଦତ ଡଟ ଜିଓଭି ଡଟ ଇନରେ ପଞ୍ଜୀକରଣ କରନ୍ତୁ । ଏହା କରିବା ଦ୍ୱାରା କୌଣସି ବି ପରିସ୍ଥିତିରେ ସାହାର୍ଯ୍ୟ ଯୋଗାଇ ଦିଆଯାଇପାରିବ ।