ଚାଇନା ଗାଲରେ ପୁଣି ଚାପୁଡା । ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ । ୪୩ ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର ।

990

କନକ ବ୍ୟୁରୋ: ପୁଣି ଚାଇନା ଗାଲରେ ଚାପୁଡା ମାରିଲା ଭାରତ । ଲୋକପ୍ରିୟ ଆପ ଟିକଟକ ପରେ ସ୍ନାକ ଭିଡିଓକୁ ବ୍ୟାନ କଲା ଭାରତ । ପୂର୍ବରୁ ଟିକଟକ ଉପରେ ଭାରତ କଟକଣା ଲଗାଇବା ପରେ ସ୍ନାକ ଭିଡିଓ ଆପରେ ନିଜ ମନ ପସନ୍ଦର ଭିଡିଓ କରି ଖୁସି ହେଉଥିଲେ ୟୁଜର୍ସ । ଆଉ ଟିକଟକ ପରେ ସ୍ନାକ ଭିଡିଓ ହିଁ ଯୁବପିଢିଙ୍କ ପ୍ରିୟ ପାଲଟିଥିଲା । ତେବେ ଆଜି ସ୍ନାକ ଭିଡିଓ ସମେତ ୪୩ ମୋବାଇବ ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର ।

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଉ ୪୩ଟି ମୋବାଇଲ ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଅନୁସାରେ ଉକ୍ତ ଆପଗୁଡ଼ିକୁ ବ୍ୟାନ କରାଯାଇଛି। ଆପ୍ ବ୍ୟାନ ନେଇ ସରକାରଙ୍କ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉକ୍ତ ଆପଗୁଡ଼ିକର କାର୍ଯ୍ୟାବଳି ଅନୁଧ୍ୟାନ ପରେ ଏହାର ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ରଖୁଥିବା ଜଣାପଡ଼ିଥିଲା। ତେଣୁ ଦେଶର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ତେବେ ଏହି ଆପ୍ ନିଷିଦ୍ଧ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଚୀନ୍ର ଅର୍ଥନୀତି ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ଏହାପରେ ଭାରତ ସରକାର ୨୦୨୦ ଜୁନ ୨୯ ତାରିଖରେ ଟିକଟକ୍, ହ୍ୟାଲୋ ଓ ଲାଇକି ଭଳି ୫୯ଟି ଚୀନ ଆପକୁ ଦେଶରେ ନିଷିଦ୍ଧ ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ୨ ତାରିଖରେ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଅନୁସାରେ ୧୧୮ଟି ଆପକୁ ବି ନିଷିଦ୍ଧ କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଟିକଟକକୁ ଭାରତରେ ସର୍ବାଧିକ ଲୋକ ଡାଉନଲୋଡ୍ କରିଥିଲେ। ଏହି ଆପକୁ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା। ଆପ୍ ଗୁଡ଼ିକ ଜରିଆରେ ଚୀନ୍ କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷକରି ଯୁବଗୋଷ୍ଠୀ ଟିକ୍ ଟକ୍ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଟିକ୍ ଟକ୍ ବ୍ୟବହାର କରୁଥିଲେ। ଏହା ବ୍ୟାନ୍ ହେବା ଫଳରେ ଚୀନର ଅର୍ଥନୀତିକୁ ଧକ୍କା ଲାଗିବ ବୋଲି କୁହାଯାଇଥିଲା।