ଇଲେକ୍ଟ୍ରିିକ ଗାଡିରେ ନିଆଁ ଲାଗିବା ନେଇ ଓଲା ଓ ଓକିନାୱାକୁ ସରକାରଙ୍କ ନୋଟିସ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ

214

କନକ ବ୍ୟୁରୋ : ମହଙ୍ଗା ଇନ୍ଧନରୁ ମୁକ୍ତି ପାଇବାକୁ ଏବେ ଲୋକମାନେ ଇଲେକ୍ଟ୍ରିକ୍ ବାଇକ ଆଡକୁ ମୁହାଁଇଛନ୍ତି । ହେଲେ ଏହା ମହଙ୍ଗା ଇନ୍ଧନରୁ ମୁକ୍ତି ଦେଉଥିଲେ ବି କୌଣସି କାରଣରୁ ଅନେକ ଇଲେକ୍ଟ୍ରିକ୍ ଗାଡିରେ ହଠାତ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳିଛି । ଏନେଇ ସରକାର ଏବେ ଇଲେକ୍ଟ୍ରିକ୍ ଗାଡି ନିର୍ମାତା ଓଲା ଓ ଓକିନାୱା ଭଳି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଛନ୍ତି । ଏହି ନୋଟିସରେ ତୃଟିପୂର୍ଣ୍ଣ ବୈଦ୍ୟୁତିକ ଯାନ ବିକ୍ରି ପାଇଁ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯିବା ଉଚିତ୍ କି ନୁହେଁ ବୋଲି କମ୍ପାନୀଗୁଡିକୁ ପଚରାଯାଇଛି ।

ସୂଚନା ମୁତାବକ ଏହି ନୋଟିସର ଜବାବ ଦେବାକୁ ସରକାର କମ୍ପାନୀଗୁଡିକୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହାର ଉତ୍ତର ପାଇବା ପରେ ସରକାର ନିଷ୍ପତ୍ତି ନେବେ ଯେ ଏଭଳି ଘଟଣା ପାଇଁ ସଂପୃକ୍ତ ଗାଡି ନିର୍ମାତା କମ୍ପାନୀ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଥିବା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗତ ମାସରେ ପ୍ୟୋର ଇଡି ଓ ବୁମ୍ ମୋଟର୍ସକୁ ନୋଟିସ ପଠାଇଥିଲା । ଏହାସହ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ମଧ୍ୟ ଏହି କମ୍ପାନୀଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

ସରକାରୀ ଅନୁସନ୍ଧାନ ସଂସ୍ଥାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି କି ଯେଉଁ ଇଲେକ୍ଟ୍ରିକ୍ ଗାଡିଗୁଡିକରେ ନିଆଁ ଲାଗିଛି ସେଗୁଡିକର ତୃଟିପୂର୍ଣ୍ଣ ବ୍ୟାଟେରୀ ସେଲ ଏବଂ ଡିଜାଇନ ଦାୟୀ ବୋଲି କୁହାଯାଇଛି । ଡିଆରଡିଓକୁର ଅନୁସନ୍ଧାନରୁ ଜଣାପଡିଛି କି, ଓଲା ଇଲେକ୍ଟ୍ରିକ୍, ଓକିନାୱ ଅଟୋଟେକ, ଶୁଦ୍ଧ ଇଭି, ଜିତେନ୍ଦ୍ର ଇଲେକ୍ଟିକ୍ ଯାନ ଏବଂ ବୁମ ମୋଟର୍ସ ସ୍କୁଟରରେ ମୂଲ୍ୟ ସଂଚୟ କରିବାକୁ ଷ୍ଟାଣ୍ଡାର୍ଡ ସାମଗ୍ରୀ ବ୍ୟବହାର କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି । ଅନ୍ୟପଟେ ଏଭଳି ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଇଭି ନିର୍ମାତା ମାନଙ୍କୁ ଚେତାବନୀ ଦେଇଛନ୍ତି ।