କନକ ବ୍ୟୁରୋ : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ବେଳର ଫଟୋ ଜାରି କରିଛି ବିଜେପି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ କରିଥିଲେ । ଏହି ସମୟରେ ଅପରାଜିତା ବିରୋଧର ସାମ୍ନା କରିଥିଲେ । ଅପରାଜିତା ଏହାକୁ ପ୍ରାୟୋଜିତ ବିରୋଧ କହିଛନ୍ତି । ନିଜ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ସମୟରେ କିଛି ଫଟୋ ଜାରି କରିଛି ବିଜେପି । ଯେଉଁଥିରେ ମହିଳା ମାନେ ଟେକା ପଥର, ଅଣ୍ଡା ଓ କଳାପତାକା ଧରିଥିବା ଦେଖିବାକୁ ମିଳିଛି ।

Advertisment

publive-image

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ । କଥା କଟାକଟିରୁ ଉତ୍ତେଜନା ବଢି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ବାଲିପାଟଣା ଅଠାନ୍ତର ରାସ୍ତାରେ ଅପରାଜିତାଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ବିଜେପି ସାଂସଦ । ଅଠାନ୍ତର ରାସ୍ତାରେ ସ୍ଥାନୀୟ ଅଂଚଳର କିଛି ଲୋକ ସାଂସଦଙ୍କୁ ବିରୋଧ କରି ରାସ୍ତା ଉପରକୁ ଆସିଯାଇଥିଲେ ।

ସାଂସଦଙ୍କ ସମର୍ଥକ ଏହାକୁ ପ୍ରତିବାଦ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା । ଏହାପରେ ଉତେଜନା ବଢି ମାରପିଟ ଯାଏଁ କଥା ଯାଇଥିଲା । ଆଉ ରାସ୍ତାରେ ଅଟକି ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂଘାତିକ କଥା ହେଉଛି, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ପୋଲିସ ଉପସ୍ଥିତିରେ ହୋଇଥିଲେ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଏହାକୁ ନେଇ ସାଂସଦଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଭୁବନେଶ୍ୱର ସାଂସଦ ତାଙ୍କ କାର୍ଯ୍ୟକ୍ରମରେ ଆଗକୁ ବିଶୃଙ୍ଖଳା ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଥିଲେ । ତାଙ୍କ ସଭାରେ ସୁନିୟୋଜିତ ଢଙ୍ଗରେ ବିଶୃଙ୍ଖଳା କଲେ ସେଠାରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ । ନାରୀ ହୋଇଥିବାରୁ ନିଜକୁ ଅସୁରକ୍ଷିତ ମଣୁଥିବା ବି କହିଥିଲେ । କିନ୍ତୁ ତାଙ୍କ ବୟାନର କିଛି ଘଣ୍ଟା ପରେ ଅଠାନ୍ତରରେ ସାଂସଦଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।