କନକ ବ୍ୟୁରୋ: ଜିଲ୍ଲାପାଳମାନଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କ ଚିଠି । ସୁଭଦ୍ରା ଯୋଜନା ନେଇ ବୈଠକ କରି ଲୋକଙ୍କ ମତାମତ ନେବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଏସଏଚଜି ଗ୍ରୁପର ସଦସ୍ୟା , ଲୋକପ୍ରତିନିଧି ଓ ଲୋକଙ୍କ ମତାମତକୁ ଗ୍ରହଣ କରିବା ପରେ ସୁଭଦ୍ରା ଯୋଜନା ସମ୍ପର୍କରେ ଏସଓପି ଆଣିବେ ସରକାର । ଜଣେ ଜିଲ୍ଲାପାଳଙ୍କୁ ୩ ଜିଲ୍ଲାର ଦାୟିତ୍ୱ ଦିଆଯାଉଛି । ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ଏ ନେଇ ବୈଠକ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ।

  • ରାକ୍ଷୀପୂର୍ଣ୍ଣିମାରେ ଆସିବ ‘ସୁଭଦ୍ରା’ ଏସଓପି!
  • ଲୋକଙ୍କ ମତାମତ ନେଉଛନ୍ତି ସରକାର 

ପ୍ରଥମେ କୁହାଯାଉଥିଲା, ଅଗଷ୍ଟ ୧୫ ତାରିଖରେ ବହୁପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ଏସଓପି ଆସିପାରେ । କିନ୍ତୁ ମତାମତ ଗ୍ରହଣର ଶେଷ ତାରିଖ ୧୪ ଅଗଷ୍ଟ ଥିବାରୁ ରାକ୍ଷୀ ପୂର୍ଣ୍ଣିମା ବେଳକୁ ନୂଆ ଏସଓପି ଜାରି ହେବା ସମ୍ଭାବନା ରହିଛି । ତେବେ ସୁଭଦ୍ରା ଯୋଜନାର ରୂପରେଖ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢୁଥିବାବେଳେ ଏ ନେଇ କିଛି ସଙ୍କେତ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

  • ଆବେଦନ ପ୍ରକ୍ରିୟା ସହଜ ହେବ
  • ମୋବାଇଲରେ ବି ଆବେଦନ କରିପାରିବେ ହିତାଧିକାରୀ
  • ଗୋଟିଏ ପରିବାରରୁ ଏକାଧିକ ହିତାଧିକାରୀ ରହିପାରନ୍ତି
  • ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଅନ୍ୟ ଯୋଜନାଠାରୁ ସର୍ବାଧିକ ରହିବ
  • ବାଦ ପଡିବା ପରେ ବି ଜଣେ ପୁଣି ଆବେଦନ କରିପାରିବେ

ମିଳିଥିବା ସୂଚନା ମୁତାବକ, ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭୁବନେଶ୍ୱରରେ ମୋଦିଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଆଉ ଏହା ପୂର୍ବରୁ ସୁଭଦ୍ରା ଯୋଜନା ଏସଓପିରେ ଯେମିତି କୌଣସି ତ୍ରୁଟି ନ ହୁଏ, ତା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।