ସଟଡାଉନରେ ୪୦୦୦ କୋଟିର ବେପାର ବନ୍ଦ । ଦୁଇ ଦିନରେ ରାଜ୍ୟ ସରକାର ହରାଇଲେ ୩୦୦ କୋଟିର ଟିକସ ।

154

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ଫଳରେ ସରକାର ବାଧ୍ୟ ହୋଇ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଥିଲେ । ଗତ ଶନି-ରବିବାର ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଥିଲା । ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସବୁ ପ୍ରକାର ଦୋକାନ ବନ୍ଦ ଥିଲା। ରାସ୍ତାରେ କାଁ ଭାଁ ଗାଡ଼ି ଗଡ଼ିଥିଲା। ଲୋକେ ଜୀବନ ରକ୍ଷା ପାଇଁ ଘରେ ରହିଥିଲେ। ଏହି ଦୁଇ ଦିନର ସଟଡାଉନ୍ ପାଇଁ ଓଡ଼ିଶାରେ ପ୍ରାୟ ୪୦୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। ସଟଡାଉନ୍ ଫଳରେ ରାଜ୍ୟରେ ପାଖାପାଖି ୨୦ ଲକ୍ଷ ଦୋକାନ ବନ୍ଦ ରହିଥିଲା। ଏଥିପାଇଁ ଦିନକୁ ୨୦୦୦ କୋଟି ଟଙ୍କା ଲେଖାଏଁ ବ୍ୟବସାୟ ପ୍ରଭାବିତ ହୋଇଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି। ସହରାଞ୍ଚଳରେ ସଟଡାଉନ୍ ଦ୍ବାରା ଗ୍ରାମାଞ୍ଚଳକୁ ମଧ୍ୟ ମାଲ ପରିବହନ ହୋଇପାରିନାହିଁ। ଏଥି ସହିତ ଗ୍ରାମାଞ୍ଚଳର ଅନେକ ସ୍ଥାନରେ କରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରଖିଛନ୍ତି। ଦୋକାନ ବଜାର ବନ୍ଦ ରହିବା ଫଳରେ କେବଳ ବ୍ୟବସାୟୀମାନେ ସେମାନଙ୍କ ଦୁଇଦିନର ଉପାର୍ଜନ ହରାଇ ନାହାନ୍ତି, ସରକାର ମଧ୍ୟ ଦୁଇଦିନରେ ପ୍ରାୟ ୩୦୦ କୋଟି ଟଙ୍କାର ଟିକସ ହରାଇଛନ୍ତି।

ତେବେ ସରକାର ଦୋକାନ ବଜାର ଭିତ୍ତିକ ବ୍ୟବସାୟକୁ ବନ୍ଦ କରି ଅନଲାଇନ୍ ବ୍ୟବସାୟକୁ ଏହି ଅବସରରେ ପ୍ରୋତ୍ସାହନ ଦେଇଛନ୍ତି ବୋଲି କିଛି ବ୍ୟବସାୟୀ ମତ ଦେଇଛନ୍ତି। ଦୋକାନ ଖୋଲି ଘରଭଡ଼ା, ବିଜୁଳି ବିଲ୍, ଋଣ ଉପରେ ସୁଧ, କର୍ମଚାରୀଙ୍କୁ ଦରମା ଆଦି ପ୍ରଦାନ କରୁଥିବାବେଳେ ସେମାନଙ୍କ ବିକ୍ରି ସଟଡାଉନ୍‌ରେ ପ୍ରଭାବିତ ହୋଇଛି। କିନ୍ତୁ ଏହି ସମୟରେ ଅନଲାଇନରେ କିଛି ବ୍ୟବସାୟୀଙ୍କୁ ଅନୁମତି ପ୍ରଦାନ କରାଯିବାରୁ ଦୋକାନ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି। ଏହାବ୍ୟତୀତ ଦୁଇଦିନର ସଟଡାଉନ୍ ପରେ ସୋମବାର ଦୋକାନ ଖୋଲିଲେ ଅଧିକ ସଂଖ୍ୟକ ଲୋକ ବଜାରକୁ ଆସିବେ। ଦୋକାନରେ ଅସମ୍ଭବ ଭିଡ଼ ହେବ। ଏହି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ବ୍ୟବସାୟୀମାନେ କହିଛନ୍ତି।

କେବଳ ୧୦/୧୨ଟି ଦୋକାନୀଙ୍କ ଉପରେ ଜରିମାନା ଲଗାଇଦେଲେ କିମ୍ବା ୪୦/୫୦ଟି ଦୋକାନ ସିଲ୍ କରିଦେଲେ ସମସ୍ୟା ସମାଧାନ ହୋଇଯିବ ନାହିଁ। ଏଥିପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ। ଗ୍ରାହକ ଏବଂ ବ୍ୟବସାୟୀ ଉଭୟ ଯେଭଳି ନିୟମ ଅନୁଯାୟୀ ବିକାକିଣା କରିବେ ସେଥିରେ ପ୍ରଶାସନକୁ ସହଯୋଗ କରିବା ଆବଶ୍ୟକ। ବ୍ୟବସାୟୀମାନଙ୍କ ସହ ଆଲୋଚନା କରି ଉନ୍ନତମାନର ଏସଓପି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ପାରିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।