କନକ ବ୍ୟୁରୋ: ସରକାରୀ ବାବୁଙ୍କ ଦାଦାଗିରି । ସରକାରୀ ଜମିକୁ ଦଖଲ କରି ଗଢୁଛନ୍ତି କୋଠାଘର । ଏ ଘର ସବୁକୁ ଦେଖନ୍ତୁ । ଇଏ ଛୋଟମୋଟ ଘର ନୁହେଁ ପୁରା ବଡ ବଡ କୋଠା ଘର । ହେଲେ ଘର ହୋଇଥିବା ଜାଗା କିନ୍ତୁ କାହାରି ବ୍ୟକ୍ତିଗତ ନୁହେଁ । ଏସବୁ ଜାଗା ସରକାରୀ ଜମି । ଏହା ଉପରେ ନିର୍ମାଣ ହୋଇଥିବା ଘର ସବୁ ସରକାରୀ ବାବୁମାନଙ୍କର । ଯିଏ ଯୋଉଠି ପାଇଛନ୍ତି ନିଜ ସୁବିଧା ଅନୁସାରେ ସରକାରୀ ଜମିକୁ ମାଡି ବସିଛନ୍ତି । ଆଉ ତା’ ଉପରେ ନିର୍ମାଣ କରିଛନ୍ତି ଉଆସ ଭଳି ଘର ।
ଏଭଳି ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଲକ ଅଞ୍ଚଳରେ । ନା ପ୍ରଶାସନକୁ ଡର ନା କାହାରିକୁ ଖାତିର । ନିଜ ସୁବିଧା ଅନୁସାରେ ସରକାରୀ ଜମି ଉପରେ ସରକାରୀ ବାବୁମାନେ ଗଢିଛନ୍ତି କୋଠା ଘର । ସେ ପୁଣି ହାତେ କି ଦି ହାତେ ଜାଗା ନୁହେଁ ହେକ୍ଟର ହେକ୍ଟର ଜମିକୁ ମାଡି ବସିଛନ୍ତି ଏ ସରକାରୀ କର୍ମଚାରୀ । ଏମାନଙ୍କ ଭିତରେ ଅଛନ୍ତି ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ସ୍ଥାନୀୟ ଗରୀବ ଆଦିବାସୀଙ୍କୁ ସରକାରୀ ଯୋଜନାରେ ଘର ଯୋଗାଇଦେବାକୁ ଯୋଜନା ଥିଲେ ବି ସେତକ ପୂରଣ ହେଉନି । ସେମାନେ ଘର ଖଣ୍ଡେ କରି ମୁଣ୍ଡ ଗୁଞ୍ଜିବାକୁ ଚେନାଏ ଜାଗା ପାଉନାହାଁନ୍ତି କିନ୍ତୁ ସରକାରୀ ବାବୁମାନେ ଭାରି ମଜାରେ ସରକାରୀ ଜାଗା ଉପରେ ଘର କରି ରହୁଛନ୍ତି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଘୋର ଅସନ୍ତୋଷ ।
ଏ ବିଷୟରେ ପ୍ରଶାସନ ତଥା ତହସିଲରେ ବାରମ୍ବାର ଅଭିଯୋଗ କରିବା ପରେ ଏ ଘର ଗୁଡିକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କିଛି ନେତା ଓ ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ତାହା ବି ବନ୍ଦ ହୋଇଗଲା । ଏବେ ନିଦ୍ୱର୍ନ୍ଦ୍ୱରେ ସରକାରୀ ଜମିରେ ଆଧିପତ୍ୟ ବିସ୍ତାର କରୁଛନ୍ତି ସରକାରୀ କର୍ମଚାରୀ ।
ଏଠି ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ତଳେ ବଳିୟାନ ଏସବୁ ସରକାରୀ ବାବୁ? କାହିଁକି ହୋଇପାରୁନି ଉଚ୍ଛେଦ କାର୍ଯ୍ୟ । କାହାକୁ ଡରୁଛନ୍ତି ତହସିଲ ଅଧିକାରୀ?