ଜୁନ୍ ୧ରୁ ଜୁନ୍ ୩୦ ସାରା ଦେଶରେ ଲାଗୁ ହେବ ଅନଲକ୍-୧.୦ । ଅବରୋଧ ଅଂଚଳ ବାହାରେ ପର୍ଯ୍ୟାୟ କ୍ରମେ କୋହଳ ହେବ କଟକଣା । ଜାଣନ୍ତୁ…କ’ଣ କୋହଳ ଏବଂ କ’ଣ ରହିବ କଟକଣା?

1,173

କନକ ବ୍ୟୁରୋ: ରବିବାର ଦିନ ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଆଉ ଏହା ପରେ କରୋନା ତାଲା ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସବୁଠୁ ବଡ଼ ନିଷ୍ପତି ହେଉଛି ଜୁନ୍ ୮ ତାରିଖ ପରେ ଖୋଲିବ ଧାର୍ମିକ ସ୍ଥଳ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସପିଂ ମଲ୍ ମଧ୍ୟ ଖୋଲିବ, ତେବେ ସିନେମା ହଲ, ପାର୍କ, ବାର ଆଦି ବନ୍ଦ ରହିବ । ତେବେ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ଏ ନେଇ ରାଜ୍ୟ ସରକାରଙ୍କ ସହ ଜୁଲାଇ ମାସରେ ନିଷ୍ପତି ନେବେ କେନ୍ଦ୍ର ସରକାର । ରାଜ୍ୟ-ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ଥିବା ଗମନାଗମନ ଉପରେ କଟକଣାକୁ ହଟାଇ ଦିଆଯାଇଛି । ତେବେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ଭଳି ଅଧିକ ଜନସମାଗମ ହେଉଥିବା ଉତ୍ସବକୁ ବାରଣ କରାଯାଇଛି । ପରିସ୍ଥିତି ଦେଖି ନିଷ୍ପତି ନେବେ କେନ୍ଦ୍ର ସରକାର । ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯିବ । ଏ ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।

୬୮ ଦିନର ତାଲାବନ୍ଦ ପରେ ଆରମ୍ଭ ହେଲା ତାଲା ଖୋଲିବା ପ୍ରକ୍ରିୟା । ମେ’ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ହେବା ପରେ ଜୁନ ୧ରୁ ୩୦ ତାରିଖ ମଧ୍ୟରେ କଟକଣା କୋହଳ ହେବ । ତେବେ କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳରେ ପୂର୍ବଭଳି ଜାରି ରହିବ କଟକଣା ।

ତେବେ ହଠାତ୍ କଟକଣାକୁ କୋହଳ କରାଯିବ ନାହିଁ । କଂଟେନମେଂଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ ସର୍ତମୂଳକ ଭାବେ କଟକଣାକୁ କୋହଳ କରାଯିବ । ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁଅର୍ସ ବା ଏସଓପି ଜାରି କରିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୩ଟି ପର୍ଯ୍ୟାୟରେ ତାଲାବନ୍ଦ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ କ’ଣ ଖୋଲିବ?

ଜୁନ୍ ୮ ତାରିଖ ପରେ ଖୋଲିବ ଧାର୍ମିକ ସ୍ଥଳ
ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ
ହୋଟେଲ୍, ରେଷ୍ଟ୍ରୁରାଣ୍ଟ, ସପିଂ ମଲ ଖୋଲିବା ପାଇଁ ମିଳିବ ଅନୁମତି
ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯିବ
ଦ୍ୱିତୀୟ ପର୍ଯ୍ୟାୟରେ କ’ଣ ଖୋଲିବ?
ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଜୁଲାଇ ମାସରେ ନିଷ୍ପତି
ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସ୍କୁଲ, କଲେଜ୍ ଓ କୋଚିଂ ସେଂଟର ଖୋଲିବା ନେଇ ନିଷ୍ପତି
ଅଭିଭାବକ ଓ ଅନ୍ୟମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର

ତେବେ ତୃତୀୟ ପର୍ଯ୍ୟାୟରେ କ’ଣ ଖୋଲିବ ଜାଣିବା ପୂର୍ବରୁ ନଜର ପକାଇବା ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ପରେ

କ’ଣ ରହିବ ବନ୍ଦ?

ଅନ୍ତର୍ଜାତୀୟ ବିମାନ ସେବା
ମେଟ୍ରୋ ରେଳ ଚଳାଚଳ
ସିନେମା ହଲ୍, ସୁଇମିଂ ପୁଲ୍
ଜିମ୍, ପାର୍କ, ଥିଏଟର
ବାର୍ ଓ ଅଡିଟୋରିମ୍
ସେହିପରି ବନ୍ଦ ରହିବ –
ସାମାଜିକ ଉତ୍ସବ
ଧାର୍ମିକ ଓ ରାଜନୈତିକ ସମାବେଶ
ସାଂସ୍କୃତିକ ଓ ଶିକ୍ଷା ସମାବେଶ
କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମ

ତେବେ ଏହି ସବୁ କଟକଣାକୁ ତୃତୀୟ ପର୍ଯ୍ୟାୟରେ କୋହଳ କରିପାରନ୍ତି କେନ୍ଦ୍ର ସରକାର । ଜୁଲାଇ ମାସରେ ପରିସ୍ଥିତିକୁ ତର୍ଜମା କରି ନିଷ୍ପତି ନିଆଯିବ ।
କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଉପରେ –
ଅବରୋଧ ଅଂଚଳ ଜାରି ରହିବ ତାଲାବନ୍ଦ କଟକଣା
ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ
ରାଜ୍ୟ-ରାଜ୍ୟ ମଧ୍ୟରେ ଗମନାଗମନ କଟକଣା ମୁକ୍ତ
ରାଜ୍ୟ ଭିତରେ ଚଳାଚଳ ନେଇ ପ୍ରତିବନ୍ଧକ ନାହିଁ
ପୂର୍ବଭଳି ଗମନାଗମନ ପାଇଁ ଅନୁମତି ପତ୍ର ଆବଶ୍ୟକ ପଡ଼ିବ ନାହିଁ
ତେବେ ରାଜ୍ୟ ସରକାର ଚାହିଁଲେ ସଂପୃକ୍ତ ରାଜ୍ୟରେ କଟକଣା ଲଗାଇ ପାରିବେ
ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯିବ
କଂଟେନମେଂଟ ଜୋନ୍ ବାହାରେ କେଉଁ କାର୍ଯ୍ୟକଳାପ ଜାରି ରହିବ ନିଷ୍ପତି ନେବେ ରାଜ୍ୟ ସରକାର
୬୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି, ୧୦ ବର୍ଷରୁ କମ୍ ବୟସର ଶିଶୁ, ରୋଗୀ, ଗର୍ଭବତୀ ମହିଳାଙ୍କୁ ଘରେ ରହିବାକୁ ପରାମର୍ଶ

ସବୁଠାରୁ ବଡ଼ କଥା ହେଲା, ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କଟକଣା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାରଙ୍କୁ ଅନେକ କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣର ସ୍ଥିତି ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟତରେ ରଖି ନିଷ୍ପତି ନେଇପାରିବେ ରାଜ୍ୟ ସରକାର ।