କନକ ଡିଜିଟାଲ ଜରିଆରେ ସରକାର ଶୁଣିଲେ ଶିମିଳିପାଳର କାନ୍ଦ । ସୋସିଆଲ ମିଡିଆରେ ଶାଣିତ ହେଲା ହଜାର ହଜାର ସ୍ୱର । ଅଭିଯାନ ପରେ ଅଗ୍ନିକାଣ୍ଡ ଆୟତ୍ତ ପାଇଁ ହେଲା ଆକ୍ସନ

208

କନକ ବ୍ୟୁରୋ: ଲିଭିବ, ଶିମିଳିପାଳ ନିଆଁ ଲିଭିବ… ନିଶ୍ଚୟ ଲିଭିବ… ନିଶ୍ଚୟ ଲିଭିବ… ଶିମିଳିପାଳ ବଞ୍ଚାଅ ଅଭିଯାନ ଏବେ ଏକ ବିପ୍ଳବରେ ପରିଣତ ହୋଇଛି । କନକ ନ୍ୟୁଜର ଡିଜିଟାଲ ପ୍ଲାଟଫର୍ମରେ ସେଭ୍ ଶିମିଳିପାଳ ହାସଟ୍ୟାଗକୁ ହୃଦୟର ସହ ସମର୍ଥନ କରି ସୋସିଆଲ ମିଡ଼ିଆରେ ହଜାର ହଜାର ସଂଖ୍ୟାରେ ହାତ ବଢ଼ିବା ପରେ ଏକ ବିଳ୍ପବ ବିଗୁଲ ବଜାଇଛି । ଶିମିଳିପାଳରେ ବନାଗ୍ନି ବ୍ୟାପୁଛି, ସୋସିଆଲ ମିଡିଆରେ ବିପ୍ଳବର ବହ୍ନି ବଳ ଗୋଟାଉଛି । ଶିମିପାଳ ବଞ୍ଚାଅ, ଆମ ଜଙ୍ଗଲ ବଞ୍ଚାଅ ଡାକ ଶୁଣି ସରକାରଙ୍କଠୁ ଜଙ୍ଗଲ ବିଭାଗ ସଭିଏଁ ଏବେ ଜଙ୍ଗଲର ଜୀବନ ବଞ୍ଚାଇବାକୁ କ୍ରିୟାଶୀଳ ହେଲେଣି, କମର କଷିଲେଣି । ଆଉ ସାଧାରଣ ଲୋକଙ୍କ ଶାଣିତ ସ୍ୱରରେ ସରକାରଙ୍କ ନିଦ ବି ଭାଙ୍ଗିଲାଣି ।

ଗାଁରୁ ଗ୍ଲୋବାଲ ସବୁଠି ଏବେ ଗୋଟିଏ ସ୍ୱର ଶିମିଳିପାଳ ବଞ୍ଚାଅ… ଶିମିଳିପାଳ ବଞ୍ଚାଅ… ସକାଳୁ ସଞ୍ଜ, ଆଉ ସଞ୍ଜରୁ ନିଦ ନଆସିବା ଯାଏଁ ନିଆଁ ଲିଭାବାକୁ ଓଡ଼ିଶାର ଅନେକ କୋଣ ଅନୁକୋଣରୁ ସ୍ୱର ଶୁଭୁଛି । ପ୍ରକୃତିପ୍ରେମୀ, ପରିବେଶବିତ, ଜଙ୍ଗଲକୁ ଭଲପାଉଥିବା ଜାଗ୍ରତ ସନ୍ତାନମାନେ ନେତା ଓ ସରକାରଙ୍କୁ ଗୁହାରୀ କରିଚାଲିଛନ୍ତି । ମଣିଷ ନହେଲା ନାହିଁ ବର୍ଷା କରି ନିଆଁ ଲିଭେଇଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଆଉ ସମାଜ ପାଇଁ, ସମଗ୍ର ଜାତି ପାଇଁ ସେହି ସ୍ୱର ଯେତେବେଳେ ଏକ ବିପ୍ଳବରେ ପରିଣତ ହୋଇଛି , ସେତେବେଳେ ଗ୍ରାଉଣ୍ଡଜିରୋରୁ ଆରମ୍ଭ ହୋଇଛି ଅପରେସନ ନିଆଁ ଲିଭା ।

ଖାଲି ଶିମିଳିପାଳ ନୁହେଁ ନିଆଁ ଏବେ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଗିଳି ଗିଳି ଚାଲିଛି । ଅଗ୍ନି ଆଁ କରି ତା ଲହଲହ ଜିଭରେ ଜଙ୍ଗଲକୁ ଚାଟି ନେଉଛି । ଶିମିଳିପାଳରୁ ସୁନାବେଡା, ମରୂରଭଞ୍ଜରୁ ମାଲକାନଗରି, କାମାକ୍ଷାନଗରରୁ କଣ୍ଟାବାଞ୍ଝି, ଚଣ୍ଡିଖୋଲରୁ ଚନ୍ଦକା । ନିଆଁ ସାରା ରାଜ୍ୟକୁ ଅଣ ନିଶ୍ୱାସୀ କରିପକାଉଛି । ଆଉ ଅଗ୍ନିର ଅସହ୍ୟ ତାତିରେ ଅସହାୟ ଜଙ୍ଗଲ ତ୍ରାହି ତ୍ରାହି ଡାକୁଛି ।

ସେପଟେ ଅଗ୍ନିକାଣ୍ଡର ଭୟାବହତା ଦେଖି ଆକ୍ସନ ମୋଡକୁ ଆସିଛନ୍ତି ସରକାର । ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଟାସ୍କ ଫୋର୍ସ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଛି ୯ ଜଣିଆ କମିଟି । ଯାହାର ନାଁ ରହିଛି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ । ତେବେ ଏହି କମିଟିର ଅଧ୍ୟକ୍ଷ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଥିବା ବେଳେ ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବ ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ତେବେ ଜଙ୍ଗଲୀ ନିଆଁ, ଏବଂ ଜୈବ-ବିବିଧତାକୁ ନେଇ ଆସନ୍ତା ୧୫ ଦିନ ଯାଏଁ କମିଟି ମୁଖ୍ୟ ସାମ୍ବାଦିକ ସମ୍ମିଳନୀ କରିବେ ।

ଅନ୍ୟପଟେ ତମାମ ରାଜ୍ୟରେ କେଉଁଠି ଲାଗିଛି କେତେ ନିଆଁ ? କ’ଣ ରହିଛି ସ୍ଥିତି? ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ । ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ବିଭାଗ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ୍ । ଜଙ୍ଗଲ ନିଆଁ ଲିଭେଇବାକୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିୟୋଜିତ ହେବେ ଓଡ୍ରାଫ ଟିମ୍ । ସେପଟେ ବାରିପଦା ବନଖଣ୍ଡର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଜରୁରୀ ପରିସ୍ଥିତି ନଥିଲେ ମିଳିବନି ଛୁଟି ।

ତେବେ ଜଙ୍ଗଲ ଯେତେବେଳେ ଜଳୁଛି ଆଉ ସ୍ଥିତି ଅଣାୟତ ହେଉଛି । ପ୍ରକୃତିକୁ ବଞ୍ଚାଇବାକୁ ସରକାରଙ୍କୁ ସାଧାରଣ ଲୋକେ ବାରମ୍ବାର ଗୁହାରୀ କରୁଛନ୍ତି ସେତେବେଳେ କ୍ରିୟାଶୀଳ ହେଉଛି ଶିମିଳିପାଳ ନିଆଁଲିଭା ପଦକ୍ଷେପ । କିଏ ଚିତ୍ର ଜରିଆରେ, କିଏ କବିତା ଜରିଆରେ ଜଙ୍ଗଲ ବଞ୍ଚାଅ ଅଭିଯାନ ଜାରି ରଖିଥିବାବେଳେ ଖୁବଶୀଘ୍ର ପ୍ରକୃତି ଛାତିରୁ ନିଆଁ ଲିଭୁ ଆଉ ପୁଣି ଥରେ ଜଙ୍ଗଲ ଜୀବନ ଫେରିପାଉ ବୋଲି ଆମେ ବି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ…

ଶେଷରେ ଆମର ସେଇ ଗୋଟିଏ କଥା, ଗୋଟିଏ ଲକ୍ଷ୍ୟ, ଯେପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ନଲିଭିଛି ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ଶୋଇବୁନି, ସକାଳୁ ସଞ୍ଜ, ସୋସିଆଲ ମଡିଆରେ ଶିମିଳିପାଳ ବଞ୍ଚାଅ, ଜଙ୍ଗଲ ନିଆଁ ଲିଭାଅ ସ୍ଲୋଗାନରେ ଆମ ଲଢେଇ ଜାରି ରଖିବୁ…