ଆସନ୍ତାକାଲିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର । କେନ୍ଦ୍ର କହିଲା ଟିକା ଦେବା କ୍ଷମତା ଅନୁସାରେ କରାଯାଉଛି ବଂଟନ ।

138

କନକ ବ୍ୟୁରୋ: ଟିକା ଅଭାବରୁ ଖାଲି ପଡିଛି ମୁମ୍ବାଇର ଏହି ଟିକାକରଣ କେନ୍ଦ୍ର । ମେ’ ପହିଲାରେ ଦେଶରେ ୧୮ ବୟସ୍କରୁ ଅଧିକ ଲୋକଙ୍କର ଟିକାକରଣ ଆରମ୍ଭ ହେଉଛି । ହେଲେ ଟିକା ଅଭାବ ସାଜିଛି ବଡ ବାଧକ । ନୀତି ଆୟୋଗଙ୍କୁ ଦେଇଥିବା ରିପୋର୍ଟରେ ଇଣ୍ଡିଆ ସ୍କୁଲ ଅଫ ବିଜନେସ କହିଛି, ଦେଶର ବିଭିନ୍ନ ରାଜ୍ୟ ଜୁଲାଇ ମାସ ଯାଏଁ ଟିକା ନିଅଂଟ ସମସ୍ୟା ଲାଗି ରହିବ । ଦେଶରେ ଏପ୍ରିଲ ମାସ ପ୍ରଥମ ସପ୍ତାହର ଟିକାକରଣ ସଂଖ୍ୟା ଉପରେ ନଜର ପକାନ୍ତୁ ।

ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରତି ଦିନ ହାରହାରି ୩୪.୬ଲକ୍ଷ ଡୋଜ ଟିକାକରଣ 

ଏପ୍ରିଲ ୪ ( ରବିବାର) ସର୍ବନିମ୍ନ ୧୭.୩ ଲକ୍ଷ ଡୋଜ ଟିକାକରଣ 

ଏପ୍ରିଲ ୫ (ସୋମବାର ) ସର୍ବାଧିକ ୪୫ଲକ୍ଷ ଡୋଜ ଟିକାକରଣ 

ଏପ୍ରିଲ ୨୯ ତାରିଖ ସୁଦ୍ଧା ଦେଶରେ ୧୫ କୋଟି କରୋନା ଡୋଜ ଦିଆଯାଇଛି । ଆଉ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ପାଖରେ ଏବେ ୧.୩ କୋଟି ଡୋଜ ମହଜୁଦ ରହିଛି । ଖୁବ ଶୀଘ୍ର ୨୦ଲକ୍ଷ ଡୋଜ କରୋନା ଟିକା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଏପଟେ ଟିକା ଅଭାବରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ପହିଲାରୁ ଆରମ୍ଭ କରିବା ନେଇ ଅକ୍ଷମତା ପ୍ରକାଶ କରିଛନ୍ତି ୧୧ ରାଜ୍ୟ । ବିଜେପି ଶାସିତ ଉତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ ରାଜ୍ୟ ସମେତ ଓଡିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ତେଲେଙ୍ଗାନା, ପଂଜାବ ଓ ଝାରଖଣ୍ଡ ଟିକା ଅଭାବ ପ୍ରସଙ୍ଗ ଉଠାଇଛନ୍ତି ।

ମେ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ୨ କୋଟି ୪୫ଲକ୍ଷ ଲୋକ ଟିକା ନେବା ପାଇଁ କୋୱିନ ଆପରେ ପଞ୍ଜିକରଣ କରିଛନ୍ତି । ଏପଟେ ସେରମ ଇନଷ୍ଟିଚ୍ୟୁଟ ମାସକୁ ପ୍ରାୟ ୭ କୋଟି ଡୋଜ ପ୍ରସ୍ତୁତ କରିପାରୁଥିବା ବେଳେ ଭାରତ ବାୟୋଟେକ ମାସକୁ ଉତ୍ପାଦନ କରିପାରୁଛି ୨ କୋଟି ଡୋଜ । ତେଣୁ ଟିକା ଅଭାବ ସମସ୍ୟାର ଶୀଘ୍ର ସୁଧାର ଆସିବା ଦେଖା ଯାଉ ନାହିଁ । ତେଣୁ ଟିକା ଆବଶ୍ୟକତାକୁ ପୂରଣ କରିବା ପାଇଁ ରୁଷିୟ ଟିକା ସ୍ପୁଟନିକ-ଭି ବ୍ୟବହାର ପାଇଁ ଅନୁମତି ଦେଇଛି ଭାରତ ।