କନକ ବ୍ୟୁରୋ : ଇନ୍ଧନ ଠାରୁ ରନ୍ଧନ ସାମଗ୍ରୀ ପର୍ଯ୍ୟନ୍ତ ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଯେଭଳି କାହାର ନଜର ଲାଗି ଯାଇଛି । କିଛି ଯଥାର୍ଥ କାରଣ ନଥାଇ ଦେଶରେ ପ୍ରତିଟି ସାମଗ୍ରୀର ମୂଲ୍ୟ ଯେଭଳି ଅହେତକୁ ଭାବେ ବୃଦ୍ଧି ପାଉଛି ତାହା ଏବେ ସାଧାରଣ ଲୋକଙ୍କ ମେରୁଦଣ୍ଡ ଉପରେ ସିଧା ସଳଖ ପ୍ରହାର କରୁଛି । କରୋନା ମହାମାରୀ ପରେ ଧନୀଙ୍କ ଧନ ୧୦୦ ରୁ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ସିନା ବୃଦ୍ଧି ପାଉଛି ହେଲେ ଦେଶରେ ୪.୫ କୋଟି ନୂଆ ଗରିବ ସୃଷ୍ଟି ହୋଇଛନ୍ତି । ଏଭଳି ସ୍ଥଳେ ଏବେ ପୁଣି ଏକ ଅତ୍ୟାବଶକୀୟ ଜିନିଷର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି ।

Advertisment

ପୁଣିଥରେ ବିଜୁଳି ଗ୍ରାହକଙ୍କୁ ମହଙ୍ଗାମାଡରେ ସାମିଲ କରିବାକୁ ଯାଉଛନ୍ତି ସରକାର । ଏଥର ୟୁନିଟ ପିଛା ୧୦ କି ୧୫ ପଇସା ନୁହେଁ ଏକାଥରେ ୟୁନିଟ ପିଛା ୫୦ ପଇସାରୁ ୮୦ ପଇସା ପର୍ଯ୍ୟନ୍ତ ବିଜୁଳି ବିଲ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଇଛି । ବାସ୍ତବରେ କେନ୍ଦ୍ର ସରକାର ଦେଶରେ ବିଦ୍ୟୁତ ସଂକଟର ମୁକାବିଲା କରିବାକୁ ବିଦେଶରୁ ମହଙ୍ଗା କୋଇଲା ଆମଦାନୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୭୬ ନିୟୁତ ଟନ କୋଇଲା ବିଦେଶରୁ ଆମଦାନୀ କରିବେ ବୋଲି ଯୋଜନା କରିଛନ୍ତି । ଏହି କୋଇଲାକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ପ୍ଲାଣ୍ଟକୁ ଯୋଗାଇ ଦିଆଯିବ । ହେଲେ ଆମଦାନୀ ହେବାକୁ ଥିବା କୋଇଲାର ଦାମ ଭାରତୀୟ କୋଇଲା ଠାରୁ ବହୁଗୁଣରେ ଅଧିକ ହୋଇଥିବାରୁ ଏହି ବୋଝ ସିଧାସଳଖ ଉପଭୋକ୍ତାଙ୍କ ଉପରେ ପଡିବ ବୋଲି କୁହାଯାଉଛି ।

କହିରଖୁ କି ଚଳିତବର୍ଷ ଦେଶର ଅନେକ ବିଜୁଳି ଉତ୍ପାଦନକାରୀ ପ୍ଲାଣ୍ଟଗୁଡିକରେ କୋଇଲା ସଂକଟ ଦେଖିବାକୁ ମିଳିଥିଲା । ଫଳରେ ବିଜୁଳି ଉତ୍ପାଦନ କ୍ଷେତ୍ରରେ ପ୍ଲାଣ୍ଟଗୁଡିକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ବିଦେଶରୁ ମହଙ୍ଗା କୋଇଲା ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।