କନକ ବ୍ୟୁରୋ : ଟିକାକରଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଟିକାକରଣ ପ୍ରସଙ୍ଗକୁ କେନ୍ଦ୍ର ସରକାର ପରିଚାଳନା କରୁଛନ୍ତି ଓ ଏଥିରେ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର ଏଥିରେ ଜଣାଇଛନ୍ତି । ଏପ୍ରିଲ ୨୭ ତାରିଖ ଦିନ କେନ୍ଦ୍ରକୁ ଜବାବ ମାଗିଥିଲେ କୋର୍ଟ । ଏନେଇ ସତ୍ୟପାଠ କରିଛନ୍ତି ମୋଦୀ ସରକାର ।
ଦେଶରେ ଟିକାକରଣ ଓ କୋଭିଡ଼ ସମ୍ପର୍କିତ ଅନ୍ୟାନ୍ୟ ବନ୍ଦୋବସ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ବିସ୍ତୃତ ବିବରଣୀ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସରକାର ଟିକାକରଣ ନୀତିର ସପକ୍ଷରେ ଯୁକ୍ତି ବାଢି ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ରବିବାର ରାତିରେ କେନ୍ଦ୍ର ସରକାର ଦାଖଲ କରିଥିବା ୨୧୮ ପୃଷ୍ଠାର ସତ୍ୟପାଠରେ କହିଛନ୍ତି ଯେ, ଟିକା ନୀତି ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ପ୍ରସ୍ତୁତ କରାଯାଇଛି ଓ ଟିକା ଦରରେ ଥିବା ଅସମାନତା ବିବାଦର ସମାଧାନ ମଧ୍ୟ ସରିଛି । ଏବଂ ଟିକା ନୀତି କାର୍ଯ୍ୟପାଳିକାର, ଏଥିରେ ନ୍ୟାୟପାଳିକାର ହସ୍ତକ୍ଷେପ କରିବା ଠିକ ହେବନାହିଁ ।
ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ଶୁଣାଣି କରି ୪ଟି ପ୍ରସଙ୍ଗରେ ଏପ୍ରିଲ ୨୭ତାରିଖ ଦିନ କେନ୍ଦ୍ରକୁ ଜବାବ ମାଗିଥିଲେ । ଯାହାକୁ ନେଇ ରବିବାର ବିଳମ୍ବିତ ରାତିରେ ୨୧୮ ପୃଷ୍ଠାର ଜବାବ ଦାଖଲ କରିଛନ୍ତି କୋର୍ଟ । ଟୀକାକରଣ ବ୍ୟତୀତ କେନ୍ଦ୍ର ସରକାର କୋଭିଡ଼ ସୁପରିଚାଳନାର ତଥ୍ୟ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ସତ୍ୟପାଠରେ କେନ୍ଦ୍ର କହିଛନ୍ତି, ଟିକାକରଣ ନୀତି ମାମଲାରେ ନ୍ୟାୟିକ ହସ୍ତକ୍ଷେପ ଠିକ ହେବନି । ଏବଂ କୌଣସି କରୋନା ଆକ୍ରାନ୍ତ ଦେଶର ଯେକୌଣସି ଡାକ୍ତରଖାନାରେ ଭର୍ତି ହୋଇପାରିବ । ଆରଟିପିସିଆର ରିପୋର୍ଟ କିମ୍ବା ଆଧାର କାର୍ଡ ନଥିଲେ ମଧ୍ୟ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇପାରିବ ବୋଲି କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାର ଆହୁରୀ ମଧ୍ୟ କହିଛନ୍ତି ଯେ, କୋଭିଡ଼ କେନ୍ଦ୍ର, ବେଡ଼, ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ କୋଭିଡ଼ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଟିକା ଉତ୍ପାଦନ ବଢାଯିବା ସହିତ ଟିକା ଅଧିକରୁ ଅଧିକ କିଭଳି ଉପଲବ୍ଧ ହୋଇପାରିବ ସେ ନେଇ ପ୍ରସ୍ତୁତି ଚାଲିଛି । ୧୮ବର୍ଷରୁ ଅଧିକଙ୍କୁ ଏବେ ଟିକା ଦିଆଯାଉଛି । ରାଜ୍ୟ ଗୁଡିକ ମଧ୍ୟ ଏବେ ଟିକା କମ୍ପାନୀ ଗୁଡ଼ିକ ଠାରୁ ସିଧାସଳଖ ଟିକା କିଣୁଛନ୍ତି । ତେବେ କେନ୍ଦ୍ର ରାଜ୍ୟ ଅପେକ୍ଷା ଶସ୍ତାରେ ଟିକା କିଣିବା ପଛରେ କାରଣ ହେଉଛି କେନ୍ଦ୍ର ବହୁ ସଂଖ୍ୟାରେ ଟିକା କିଣୁଛି ଆଉ କମ୍ପାନୀଙ୍କୁ ଆଗୁଆ ଟଙ୍କା ଦେଇଛି ।