ବୁଷ୍ଟର ଡୋଜ୍ ପାଇଁ ଆସିଗଲା କି ସମୟ? ଖୁବଶୀଘ୍ର ଆସିପାରେ ସରକାରଙ୍କ ଗାଇଡଲାଇନ୍

205

କନକ ବ୍ୟୁରୋ: କରୋନା ଟିକା ନେବା ପରେ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଥିବାର ଖବର ପ୍ରକାଶ ପାଉଛି । ତେଣୁ ବୁଷ୍ଟର ଡୋଜର ଆବଶ୍ୟକତାକୁ ନେଇ ଚର୍ଚ୍ଚା ସୃଷ୍ଟି ହେଲାଣି । ନିକଟରେ ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା, ଦ୍ୱିତୀୟ ଡୋଜର ୬ମାସ ଭିତରେ ଆଉ ଏକ ଡୋଜ ନେବାକୁ ପଡିବ ।

ଭାରତୀୟ କୋଭିଡ୍ ଜେନୋମିକ୍ସ କନସୋର୍ଟିଅମର କୋ-ଚେୟାରମ୍ୟାନ ଡକ୍ଟର ଏନକେ ଆରୋରା କହିଛନ୍ତି , ଭାରତରେ କରୋନା ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ।  ଖାଲି ସେତିକି ନୁହେଁ , ୧୦ ଦିନ ମଧ୍ୟରେ ବୁଷ୍ଟର ଡୋଜ୍ ପାଇଁ ପଲିସି ନିର୍ଦ୍ଧାରଣ ମଧ୍ୟ କରାଯାଇପାରେ ବୋଲି ସେ କହିଛନ୍ତି । ଗତ ୩ ସପ୍ତାହ ହେଲା ଏନେଇ କାର୍ଯ୍ୟ କରାଯାଉଛି । ପ୍ରାଥମିକତା ଭିତ୍ତିରେ କାହାକୁ ବୁଷ୍ଟର ଡୋଜ୍ ବା ତୃତୀୟ ଡୋଜ୍ ଦିଆଯିବ, ତାହା ନିର୍ଦ୍ଧାରଣ ହେବ । ତେବେ ଏବେ ଭୟଭୀତ ହେବାର କାରଣ ନାହିଁ, କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ପ୍ରତି ମାସରେ ଭାରତରେ ୩୦ରୁ ୩୫ କୋଟି କରୋନା ଟିକା ତିଆରି ହେଉଛି । ଟିକାର ଅଭାବ ହେବ ନାହିଁ, କିନ୍ତୁ ଆବଶ୍ୟକ ହେଲେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି ।

ସେପଟେ କୋଭାକ୍ସିିନ୍ କରୋନା ଟିକା ନିର୍ମାତା ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା କହିଛନ୍ତି ଦ୍ୱିତୀୟ ଡୋଜର ୬ ମାସ ପରେ ବୁଷ୍ଟର ଡୋଜ୍ ନେବାର ପ୍ରକୃଷ୍ଟ ସମୟ । ତେବେ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେପଟେ ବୁଷ୍ଟର ଡୋଜ୍ ସଂପର୍କରେ ସାରା ଦେଶରେ ହେଉଥିବା ଚର୍ଚ୍ଚାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିଶେଷଜ୍ଞମାନଙ୍କ ମତାମତ ଉପରେ ବୁଷ୍ଟର ଡୋଜ୍ ନେଇ ନିଷ୍ପତ୍ତି ନେବେ ସରକାର । ବର୍ତ୍ତମାନର ପ୍ରାଥମିକତା ହେଉଛି ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଯୋଗାଇଦେବା । ଆଇସିଏମଆର ଓ ବିଶେଷଜ୍ଞ ଟିମର ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ ।