ଟିକସ ପୈଠ ପାଇଁ ବଢିଲା ମିଆଦ : ଆୟକର, ଜିଏସଟି ରିଟର୍ନ ଦାଖଲର ବଢିଲା ଅବଧି; ଜାନୁଆରୀ ୧୦ରେ ସାଧାରଣ ଆଇଟି ରିଟର୍ନର ଶେଷ ଦିନ

56

କନକ ବ୍ୟୁରୋ : ଆୟକର ଦାତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଜାନୁଆରୀ ୧୦ ତାରିଖ ଯାଏଁ ବଢିଲା ଆୟକର ଦାଖଲର ସମୟସୀମା । ଏନେଇ ଟୁଇଟ୍ କରି ସୂଚନା ଦେଇଛିି ଭାରତ ସରକାରଙ୍କ ଆୟକର ବିଭାଗ । ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ଦାଖଲର ସମୟ ସୀମାକୁ କରୋନା ମହାମାରୀକୁ ନଜରରେ ରଖି ଜାନୁଆରୀ ୧୦ ଯାଏଁ ବୃଦ୍ଧି କରାଯାଇଥିବା କୁହାଯାଇଛି । ଆଗରୁ ଏହା ଡିସେମ୍ୱର ୩୧ ଯାଏଁ ରହିଥିଲା । ସେହିପରି କମ୍ପାନୀ ଗୁଡିକ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଟିକସ ଦାଖଲର ସମୟ ସୀମାକୁ ଆଉ ୧୫ ଦିନ ବୃଦ୍ଧି କରାଯାଇଥିବା କୁହାଯାଇଛି ।

ଆଗକୁ ଏହାର ଡେଡଲାଇନ୍ ଜାନୁଆରୀ ୩୧ ତାରିଖ ଯାଏଁ ରହିଥିଲା । ଏବେ ଏହି ଡେଡଲାଇନ ଫେବ୍ରୁଆରୀ ୧୫ ତାରିଖକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଏହା ଆୟକର ଦାଖଲର ସମୟ ସୀମାକୁ ତୃତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ପ୍୍ରଥମେ ଜୁଲାଇ ୩୧ରୁ ନଭେମ୍ୱର ୩୦କୁ ବୃଦ୍ଧି ହୋଇଥିଲା । ପରେ ଏହାକୁ ଡିସେମ୍ୱର ୩୧କୁ ବୃଦ୍ଧି କରାଯାଇଥିଲା । ପରେ କରୋନା ମହାମାରୀକୁ ନଜରରେ ରଖି ଆୟକର ଦାଖଲ ସୀମାକୁ ଜାନୁଆରୀ ୧୦ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ଜିଏସଟି ଦାଖଲରେ ମଧ୍ୟ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

୨୦୧୯-୨୦ ଆର୍ଥିକ ବର୍ଷର ଜିଏସଟି ଦାଖଲ ସମୟ ସୀମାକୁ ୨ ମାସ ଅର୍ଥାତ୍ ଆସନ୍ତା ଫେବ୍ରୁଆରୀ ୨୮ ଯାଏଁ ବୃଦ୍ଧି କରାଯାଇଛି । ଆୟକର ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ଡିସେମ୍ୱର ୨୮ ତାରିଖ ସୁଦ୍ଧା ଦେଶରେ ୪ କୋଟି ୫୪ ଲକ୍ଷ ଲୋକ ଆୟକର ଦାଖଲ କରି ସାରିଛନ୍ତି । ଗତବର୍ଷ ଏହି ସଂଖ୍ୟା ୪ କୋଟି ୭୭ ଲକ୍ଷ ରହିଥିଲା । ବର୍ତମାନ ପୁଣି ଥରେ ସମୟ ବୃଦ୍ଧି ଆୟକର ଦାତାଙ୍କ ପାଇଁ ଆଇଟି ଦାଖଲର ସୁଯୋଗ ଆଣିଦେବ ।