କନକ ବ୍ୟୁରୋ : ଘୁଂଚିଲା ଫାସଟ୍ୟାଗରେ ଶତ ପ୍ରତିଶତ ଟୋଲ ଫି ଆଦାୟ କରିବା ତାରିଖ । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଏହି ତାରିଖକୁ ଘୁଂଚାଇ ଦେଇଛି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଉଭୟ ଫାସଟ୍ୟାଗ ଓ ନଗଦ ଟଙ୍କା ଆକାରରେ ଟୋଲ ଫି ଦେଇ ପାରିବେ ଗାଡି ଚାଳକ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାସଟ୍ୟାଗକୁ ଶତ ପ୍ରତିଶତ କରିବା ପାଇଁ ଲୋକମାନଙ୍କୁ ଏହି ସମୟ ଦିଆଯାଇଛି ।
ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଗାଡିର ଫାସଟ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ନଭେମ୍ବର ମାସରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେଉଁ ଗାଡିର ଫାସଟ୍ୟାଗ ନଥିବ ସେମାନଙ୍କ ନିକଟରୁ ଦୁଇଗୁଣ ଫି ଆଦାୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବାଣିଜ୍ୟକ ଗାଡି ଏହି ନିୟମର ଅନ୍ତର୍ଭୁକ୍ତ କରାଯିବ । ଏହାବାଦ ଫାସଟ୍ୟାଗ ନଥିବା ଘରୋଇ ଗାଡି ଗୁଡିକଠାରୁ ଦୁଇ ଗୁଣ ଫି ଆଦାୟ କରାଯିବ । ତେବେ ରାଜ୍ୟ ରାଜପଥ ଉପରେ ଥିବା ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ବର୍ତମାନ ଲାଗୁ ହେବ ନାହିଁ । ଜାତୀୟ ରାଜପଥ ଉପରେ ଥିବା ଟୋଲ ପ୍ଲାଜାଗୁଡିକରେ ଟୋଲ ଫି ଦେବା ପାଇଁ ଲମ୍ବା ଲାଇନ ଲାଗୁଥିବାରୁ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଏପରି ନିଷ୍ପତି ନେଇଛି ।