ପ୍ରଥମେ ୩ ମାସ, ପରେ ୩ ମାସ । କାଗଜପତ୍ର ପାଇଁ କୋହଳ କଲେ, ନିୟମ ଉଲ୍ଲଂଘନକାରୀଙ୍କୁ ଚେତାବନୀ ଦେଲେ ।

703

କନକ ବ୍ୟୁରୋ : ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ୩ ମାସ ପର୍ଯ୍ୟନ୍ତ ଗାଡି କାଗଜପତ୍ର ନିୟମ କୋହଳ କଲେ ରାଜ୍ୟ ସରକାର । ନୂଆ ଟ୍ରାଫିକ ନିୟମ କୋହଳର ସମୟସୀମା ସରିବା ପୂର୍ବରୁ ଏହାର ଅବଧିକୁ ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡେଡଲାଇନ ସରିବା ପୂର୍ବରୁ ଆରଟିଓ ଅଫିସ ଆଗରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ପରିବହନ ବିଭାଗ ।

ଡେଡଲାଇନ ସରିବା ପୂର୍ବରୁ ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ଆଗରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା । ଲମ୍ବା ଲାଇନରେ ଛିଡା ହେବା ସତ୍ତେ୍ୱ ମଧ୍ୟ ଲାଇସେନ୍ସ ପାଇଁ ପାଳି ପଡୁନଥିଲା । ଆଉ ଏସବୁ ଭିତରେ ଡିସେମ୍ବର ୧ରୁ ଗାଡି କାଗଜପତ୍ର ଯାଞ୍ଚକୁ କଡାକଡି କରିବାକୁ ନିଷ୍ପତି ନିଆଯାଇଥିବାରୁ ଗାଡି ଚାଳକଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେଣୁ ଲାଇନରେ ଆଗରେ ରହିବା ପାଇଁ ସାଧାରଣ ଲୋକ ଆରଟିଓ ଅଫିସ ଆଗରେ ଶୋଇ ରହିଥିଲେ । ଏପରିକି କିଛି ସ୍ଥାନରେ କାଗଜପତ୍ର ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ଏହାକୁ ନେଇ କେଉଁଠି ନା କେଉଁଠି ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଥିଲା । ତେଣୁ ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଆଉ ୩ ମାସ ସମୟ ଦେଇଛନ୍ତି ରାଜ୍ୟ ସରକାର ।

ଏହାପୂର୍ବରୁ ମଧ୍ୟ ନୂଆ ନିୟମକୁ ନେଇ ଲୋକଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର ୧ରୁ ନୂଆ ନିୟମ ଲାଗୁ ହେବା ମାତ୍ରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଓ କାଗଜପତ୍ର ଠିକ୍ ନଥିବା ଗାଡି ଚାଳକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା । ଏପରିକି କିଛି ସ୍ଥାନରେ ଗାଡି ଚାଳକଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଚାଲାଣ କଟିଥିଲା । ତେବେ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡାକଡି ହେବା କାରଣରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ସାଧାରଣ ଲୋକଙ୍କ ଗାଡିକୁ ପୋଲିସ ଧରୁଥିବା ବେଳେ ପୋଲିସ ଗାଡିର କାଗଜପତ୍ର ଠିକ୍ ନଥିବା ଅଭିଯୋଗ କରିଥିଲେ ରାଜଧାନୀ ବାସିନ୍ଦା । ଆଉ ଏହି ପୋଲିସ ଗାଡିର କାଗଜପତ୍ରକୁ କେନ୍ଦ୍ର କରି ରାଜଭବନ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । କିଛି ସମୟ ମଧ୍ୟରେ ରାଜଭବନ ଛକ ଋଣଭୂମି ପାଲଟି ଯାଇଥିଲା । ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପୋଲିସ ସାଧାରଣ ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବା ବେଳେ ଅନ୍ୟପଟେ ସାଧାରଣ ଜନତା ପୋଲିସ ଉପରେ ପଥରମାଡ କରିଥିଲେ । ଆଉ ଏଭଳି ସ୍ଥିତି ଦେଖାଦେବା ପରେ ଡିସେମ୍ବର ୧ ପର୍ଯ୍ୟନ୍ତ ଟ୍ରାଫିକ ନିୟମକୁ କୋହଳ କରିଥିଲେ ରାଜ୍ୟ ସରକାର ।

କିନ୍ତୁ ଡେଡଲାଇନ ଶେଷ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଆରଟିଓ ଅଫିସ ସାମ୍ନାରେ ଅସମ୍ଭାଳ ସ୍ଥିତି ଦେଖି ନିଷ୍ପତି ବଦଳାଇବାକୁ ବାଧ୍ୟ ହୋଇଥିଲେ ରାଜ୍ୟ ସରକାର । ତେବେ ପରିବହନ ମନ୍ତ୍ରୀଙ୍କ କହିବା ଅନୁଯାୟୀ, କେବଳ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୩ ମାସ ସମୟସୀମା ଦିଆଯାଇଛି । କିନ୍ତୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ନିସ୍ତାର ଦିଆଯିବନି । ଖାସକରି ହେଲମେଟ ପିନ୍ଧିନଥିବା, ମଦୁଆ ଚାଳକ ଓ ଟ୍ରିପଲ୍ ରାଇଡିଂ କରୁଥିବା ଗାଡି ଚାଳକଙ୍କ ଠାରୁ ନୂଆ ନିୟମ ଅନୁଯାୟୀ ଜରିମାନା ଆଦାୟ କରାଯିବ ।