ପ୍ରତିଦିନ ୫୦ରୁ ଅଧିକ କରୋନା ମୃତ୍ୟୁର ହିସାବ ଦେଉଛନ୍ତି ସରକାର : ଖବର କାଗଜରେ ବିଜ୍ଞାପନ ଦେଇ ସ୍ପଷ୍ଟୀକରଣ ରଖିଲେ ସରକାର 

190

କନକ ବ୍ୟୁରୋ : ଗତ କିଛିଦିନ ହେଲା ୫୦ରୁ ଅଧିକ କରୋନା ମୃତ୍ୟୁର ହିସାବ ଦେଉଛନ୍ତି ସରକାର । କରୋନା ସଂକ୍ରମଣ କମୁଥିବାବେଳେ ଉଚ୍ଚା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ଉପୁଜୁଥିବାବେଳେ, ସକକାର କହୁଛନ୍ତି ପୁରୁଣା ମୃତ୍ୟୁର ଯାଂଚ କରି ହିସାବ ଦିଆଯାଉଛି । ଆଜି ଏ ସଂକ୍ରାନ୍ତରେ ଖବରକାଗଜରେ ବିଜ୍ଞାପନ ଦେଇ ସ୍ପଷ୍ଟୀକରଣ ରଖିଛନ୍ତି ସରକାର ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି, ପ୍ରତ୍ୟେକ କୋଭିଡ ହସ୍ପିଟାଲରେ ଘଟୁଥିବା ମୃତ୍ୟୁକୁ ତ୍ରିସ୍ତରୀୟ ପର୍ଯ୍ୟବେକ୍ଷଣ ପରେ ହିଁ କୋଭିଡ ଜନିତ ମୃତ୍ୟୁ ବୋଲି ଚିହ୍ନଟ କରାଯାଉଛି । ଏଥିପାଇଁ ହସ୍ପିଟାଲର ସ୍ତରରେ ପ୍ରଥମ କମିଟି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ କମିଟି ଏବଂ ରାଜ୍ୟସ୍ତରରେ ଡିଏମଇଟିଙ୍କ ଅଧ୍ୟକ୍ଷତାରେ ତୃତୀୟ କମିଟି ଏହାର ଯାଂଚ କରୁଛି । ସେଥିପାଇଁ ସମୟ ଲାଗୁଛି । ମେ ଓ ଜୁନ ମାସରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା ଓ ଜୀବନ ରକ୍ଷାରେ ବ୍ୟସ୍ତ ଥିଲେ ।

ସେହିପରି ବାତ୍ୟା ୟାସ ବିପନ୍ନ ଜିଲ୍ଲାଗୁଡିକର ରିପୋର୍ଟ ମଧ୍ୟ ଆସିପାରିନଥିଲା । ତେଣୁ ବର୍ତମାନ ମେ ଓ ଜୁନ ମାସର ପୁରୁଣା କେସ ଗୁଡିକୁ ତର୍ଜମା କରି ପ୍ରକୃତ କାରଣ ଜାଣିବା ପରେ କୋଭିଡ ମୃତ୍ୟୁ ଜନିତ ତଥ୍ୟ ପ୍ରକାଶ କରାଯାଉଛି । ତେଣୁ ସପ୍ତାହେ ଦୁଇ ସପ୍ତାହ ଏହିଭଳି ଉଚ୍ଚ ମୃତ୍ୟୁ ସଂଖ୍ୟା ରହିପାରେ ଓ ପରେ ଏହା କମିଯିବ ବୋଲି ଏହି ବିଜ୍ଞାପନରେ କୁହାଯାଇଛି ।