କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସ କାର୍ଯ୍ୟକ୍ରମ ଗୁଡିକରେ ଭାଗ ନେଇ ପାରିବେ ସରକାରୀ କର୍ମଚାରୀ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ଆଦେଶ ଜାରି କରିଛନ୍ତି । ୧୯୬୬, ୧୯୭୦ ଓ ୧୯୮୦ରେ ତକ୍ରାଳୀନ ସରକାରଙ୍କ ଦ୍ୱାରା ହୋଇଥିବା ନିୟମ ଗୁଡିକରେ ସଂଶୋଧନ ଅଣାଯାଇ ବର୍ତ୍ତମାନ ପ୍ରତିବନ୍ଧକ ଉଠାଇ ଦିଆଯାଇଛି । ସରକାରୀ କର୍ମଚାରୀ ମାନେ ଏବେ ଆରଏସଏସର ଶାଖା ଦ୍ୱାରା ଆୟୋଜିତ ବିଭିନ୍ନ ବ୍ୟବସ୍ଥା ତଥା ଗତିବିଧିିରେ ସାମିଲ ହୋଇ ପାରିବେ । ମୋଦୀ ସରକାରଙ୍କର ନୂଆ ନିର୍ଦେଶନାମାକୁ ଆରଏସଏସ ସ୍ୱାଗତ ଜଣାଇଛି ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଆମ୍ବେକର ଏନେଇ ସକାରାତ୍ମକ ପ୍ରତିକ୍ରିୟା ରଖିବା ସହ କହିଛନ୍ତି କି ଆରଏସଏସ ଭାତର ରାଷ୍ଟ୍ରର ପୁନଃନିର୍ମାଣ ତଥା ସମାଜ ସେବା ପାଇଁ ଗତ ୯୯ ବର୍ଷ ହେଲାଣି ସର୍ବଦା ତତ୍ପର । ରାଷ୍ଟ୍ରର ସୁରକ୍ଷା,ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ସବୁବେଳେ ସଂଘ ପ୍ରତିକାରବଦ୍ଧ । ଏବେ ସରକାର ଓ ଆରଏସଏସ ମଧ୍ୟରେ ଏହି ନୂତନ ସମ୍ପର୍କ ସୁତ୍ରର ସ୍ଥାପନ ଦେଶର ଉନ୍ନତି ପାଇଁ ସଫଳ ବ୍ୟବସ୍ଥା ସାବ୍ୟସ୍ତ ହେବ ।
ସରକାରଙ୍କ ପଦକ୍ଷେପକୁ ନେଇ ମଧ୍ୟପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ୱାଗତ କରିବା ସହ କହିଛନ୍ତି କି କଂଗ୍ରେସ ତ ରାଜନୀତିରେ ସଦାବେଳେ ତୁଷ୍ଟିକରଣ ପନ୍ଥା ଗ୍ରହଣ କରିଥାଏ । ଆରଏସଏସ ହେଉଛି ଏକ ବିଶାଳ ସାଂସ୍କୃତିକ ସଙ୍ଗଠନ ଯାହାର ତ୍ୟାଗ ଓ ବଳିଦାନକୁ କେବେ ଭୁଲି ହେବ ନାହିଁ ।
ଏପଟେ ବିରୋଧୀ ଦଳ ସରକାରଙ୍କର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହା ବିରୁଦ୍ଧରେ ପୋଷ୍ଟ କରିିଛନ୍ତି । ୧୯୪୭ରେ ଆଜି ଦିନରେ ଭାରତ ରାଷ୍ଟ୍ରୀୟ ଧ୍ୱଜ ଗ୍ରହଣ କରିଥିବା ବେଳେ ଆରଏସଏସ ଏହି ତ୍ରିରଙ୍ଗାକୁ ବିରୋଧ କରିିଥିିଲା । ସର୍ଦ୍ଦାର ପଟେଲ ଏହି ସଙ୍ଘ ବିରୋଧରେ ଆଗରୁ ଚେତାବନୀ ଦେବା ସହ ଗାନ୍ଧୀଙ୍କ ହତ୍ୟା ପରେ ଆରଏସଏସ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲେ । ଖଡ଼ଗେଙ୍କ ଅନୁୁସାରେ ମୋଦୀ ସରକାର ଗତ ୧୦ ବର୍ଷ ଧରି ଭାରତ ସମ୍ବିଧାନର ବିଭିନ୍ନ ବ୍ୟବସ୍ଥାକୁ ନିଜ ସୁବିଧା ଓ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରିବା ପରେ ଏବେ ଆରଏସଏସର ସରକାର କର୍ମଚାରୀଙ୍କ ସଂମ୍ପୃକ୍ତି ବଢାଇ ସରକାରୀ କାର୍ଯ୍ୟ କ୍ଷେତ୍ରରେ ବିଚାରଗତ ଭେଦଭାବ ସୃଷ୍ଟି କରୁଛନ୍ତି ।
କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ତଳେ ମୋହନ ଭାଗବତଙ୍କ ଟିପ୍ପଣୀକୁ ଆଖି ଆଗରେ ରଖି ସେମାନଙ୍କକୁ ସନ୍ତୁଷ୍ଟ କରିବାକୁ ଯାଇ ଏପରିି ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଆଜି ବିଭିନ୍ନ ସଂସ୍ଥାରେ ଆରଏସଏସର ସମ୍ପୃକ୍ତି କାରଣରୁ ଏନଟିଏ ଓ ୟୁପିଏସସିରେ ଘଟୁଥିବା ଅନିୟମତତା ଭଳି ଦୁର୍ଦଶା ଦେଖିିବାକୁ ପଡୃୁଛି । ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ମାୟାବତୀ ମଧ୍ୟ ସମାନ ଭାବେ ସରକାର ବିରୋଧୀ ମନ୍ତବ୍ୟ ରଖିଛନ୍ତି ଓ ନିର୍ଦ୍ଦେଶନାମା ଫେରାଇନେବାକୁ ଦାବି କରିଛନ୍ତି ।