ସାଇବର ଠକଙ୍କ ଜାଲରେ ସରକାରୀ କର୍ମଚାରୀ: ପ୍ୟାନ କାର୍ଡ଼ ଅପଡ଼େଟ୍ ନାଁରେ ଆକାଉଣ୍ଟରୁ ନେଇଗଲେ ଦେଢ ଲକ୍ଷ ଟଙ୍କା

97

କନକ ବ୍ୟୁରୋ: ସାଇବର ଠକଙ୍କ ଜାଲରେ ସରକାରୀ କର୍ମଚାରୀ । ଆକାଉଂଟରୁ କଟିଗଲା ଦେଢ ଲକ୍ଷ ଟଙ୍କା । ସୂଚନା ଅନୁସାରେ ରାଉରକେଲାର ଶ୍ରୀକାନ୍ତ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ତୁରନ୍ତ ପାନ କାର୍ଡ଼ ଅପଡ଼େଟ୍ କର ନହେଲେ ବ୍ୟଙ୍କ ଆକାଉଂଟ ଅଚଳ ହୋଇଯିବ ବୋଲି ଏକାଧିକ ଥର ମେସେଜ ଆସିଥିଲା । ୨୬ ତାରିଖ ରାତିରୁ ଏଭଳି ଏକାଧିକ ଥର ମେସେଜ ଆସିବାରୁ ସେଥିରେ ଥିବା ଏକ ଲିଙ୍କ ଖୋଲିଥିଲେ ଶ୍ରୀକାନ୍ତ । ଏହାପରେ ତାଙ୍କ ନାଁ, ଜନ୍ମ ତାରିଖ, ବ୍ୟାଙ୍କ ଆକାଂଉଟ ନମ୍ବର ଦେଖି ବ୍ୟଙ୍କ ତରଫରୁ ମେସେଜ ଆସିଥିବା ଭାବି ଓଟିପି ଶେୟାର କରିଦେଇଥିଲେ ଶ୍ରୀକାନ୍ତ । ଏହାର କିଛି ସମୟ ଭିତରେ ତାଙ୍କ ଆକାଉଂଟରୁ ୧ଲକ୍ଷ ୪୯ ହଜାର ୯୯୯ ଟଙ୍କା ଗାଏବ ହୋଇଯାଇଥିଲା । ଏହାପରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଯୋଗାଯୋଗ କରି ଏଟିଏମ କାର୍ଡ଼ ଓ ୟୁନୋ ଆକାଉଂଟ ବ୍ଲକ କରିଥିଲେ ଶ୍ରୀକାନ୍ତ । ଏନେଇ ସାଇବର ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେଠାରେ ୫ଲକ୍ଷ ଟଙ୍କା ଉପରକୁ ଠକେଇ ଥିଲେ ଅଭିଯୋଗ ହୋଇପାରିବ ବୋଲି କୁହାଯିବା ପରେ ହାତିବାରି ଥାନାରେ ତାଙ୍କର ଅଭିଯୋଗ କରିଛନ୍ତି । ଏହାସହ ବ୍ୟାଙ୍କରେ ଲିଖିତ ଅଭିଯୋଗ ପରେ ବ୍ୟଙ୍କ ପକ୍ଷରୁ ମାମଲାର ସମାଧାନ ପାଇଁ ପ୍ରକ୍ରିୟା ଜାରି ରହିଛି ।