ଭୂତ ନେଉଛନ୍ତି ଭତ୍ତା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠାଉଛନ୍ତି ସରକାରୀ କର୍ମଚାରୀ।

ଭୂତ ନେଉଛନ୍ତି ଭତ୍ତା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠାଉଛନ୍ତି ସରକାରୀ କର୍ମଚାରୀ।

କନକ ବ୍ୟୁରୋ: ମୃତ ବ୍ୟକ୍ତିଙ୍କ ନାମରେ ସରକାରୀ ତହବିଲରୁ ଆସୁଛି ଭତ୍ତା ଟଙ୍କା , ମଲାଲୋକଙ୍କ ନାମରେ ଟିପଚିହ୍ନ ମାରି ସରକାରୀ ଅର୍ଥକୁ ମିଳିମିଶି ହରିଲୁଟ କରୁଛନ୍ତି ପଞ୍ଚାୟତର ସରପଞ୍ଚ ଓ ଅଧିକାରୀ । ଥରେ କି ଦୁଇ ଥର ନୁହଁ ବରଂ ମାସ ମାସ ଧରି ମୃତ ବ୍ୟକ୍ତି ନାମରେ ବାର୍ଦ୍ଧକ୍ୟ ଭତ୍ତା ଉଠାଯାଉଥିବା ବେଳେ ସରକାରଙ୍କ ଆଖିରେ ଧୂଳିପକାଇ ଟଙ୍କା ହଡପ ଚାଲିଥିବା ଅଭିଯୋଗ ଆସିଛି । ଗଜପତି ଜିଲ୍ଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମପଞ୍ଚାୟତରେ ଦୀର୍ଘ ମାସ ମାସ ଧରି ବହୁ ମଲା ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ହୋଇଥିବା ଜଣା ପଡ଼ିଛି।

ଗଜପତିର ମୋହନା ବ୍ଲକରେ ଅନେକ ହିତାଧିକାରୀଙ୍କ ପାଖରେ ଭତ୍ତା କାର୍ଡ ଥାଇ ବି ମାସ ମାସ ଧରି ମିଳୁନି ଟଙ୍କା କିନ୍ତୁ ମୃତ ବ୍ୟକ୍ତଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । ଜାଲ ଟିପ ଚିହ୍ନ ଦେଇ ସରକାରୀ ତହବିଲକୁ ଖାଲି କରି ଦେଉଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ । ସୁଲି ଗମାଙ୍ଗ ନାମକ ଜଣେ ବ୍ୟକ୍ତିଙ୍କର ୨୦୨୧, ଜୁନ୍ ୧ରୁ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ନାଁରେ ସେପ୍ଟେମ୍ବର ମାସ ଯାଏଁ ଭତ୍ତା ଟଙ୍କା ଉଠିଛି । ସେହିଭଳି ସମ୍ବାରୀ ଗମାଙ୍ଗଙ୍କର ମଧ୍ୟ ଜୁନ୍ ମାସରେ ମୃତ୍ୟୁ ହୋଇଛି ହେଲେ ତାଙ୍କ ନାଁରେ ବି ଭତ୍ତା ଟଙ୍କା ଉଠିଥିବା ଜଣାପଡିଛି ।

ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତର ପିଣ୍ଡିକି, ଡାଳିଆମ୍ବ, ନିଜୁମା, ଭିମପୁର, କିର୍ତିଙ୍ଗ ଗାଁର ଅନେକ ବ୍ୟକ୍ତି ୪-୫ ମାସ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି । କିନ୍ତୁ ପଞ୍ଚାୟତର ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ମୃତକଙ୍କ ପାଖରୁ ଭତ୍ତା କାର୍ଡ ନେଇ, ଜାଲ ଟିପ୍ ଚିହ୍ନ ଦେଇ ଟଙ୍କା ଉଠାଇଉ ଥିବା ମୃତଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ତେବେ ପିଣ୍ଡିକି ପଞ୍ଚାୟତରେ ଆଗରୁ ମଧ୍ୟ ଏମିତି ଦୁର୍ନୀତି ସଂପର୍କୀତ ଖବର ସାମ୍ନାକୁ ଆସିଛି । ଲୋକଙ୍କ ଅଭିଯୋଗକୁ ସ୍ୱୀକାର କରିବା ସହ କିଛି ମାତ୍ରାରେ ଭୁଲ ଥିବା କହିଛନ୍ତି ପଞ୍ଚାୟତ ପିଇଓ ରଞ୍ଜିତା ଦଳାଇ । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କ ହଡପ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe