ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗରରେ ଥିବା ଘରୋଇ ହସପିଟାଲକୁ ସରକାରଙ୍କ ନିର୍ଦ୍ଦେଶାନାମା । ୫୦ ପ୍ରତିଶତ ସାଧାରଣ ବେଡ୍ ଓ ୮୦ ପ୍ରତିଶତ ଆଇସିୟୁକୁ କରୋନା ରୋଗୀଙ୍କ ପାଇଁ ରଖିବାକୁ କହିଲେ ସରକାର

100

କନକ ବ୍ୟୁରୋ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାର ଘରୋଇ ହସପିଟାଲଗୁଡିକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ସବୁ ଘରୋଇ ହସପିଟାଲରେ ଲାଗୁ ହେବ । ଏହି ୫ଟି ମହାନଗରରେ ଥିବା ଘରୋଇ ହସପିଟାଲଗୁଡିକ ଅତି କମରେ ୫୦ ପ୍ରତିଶତ ଜେନେରାଲ ବା ସାଧାରଣ ବେଡ୍ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ରଖିôବେ । ଏହାଛଡ଼ା ହସପିଟାଲରେ ଥିବା ଆଇସିୟୁ ବେଡର ଅତିକମରେ ୮୦ ପ୍ରତିଶତ ବେଡ୍ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ରଖିôବେ । ଗତକାଲି ରାଜ୍ୟରେ ୪ ହଜାର ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ସଂଖ୍ୟା ବଢ଼ୁଥିବାରୁ ହସପିଟାଲରେ ଚିକିତ୍ସା ଯୋଗାଇବା ଏବେ ବଡ଼ ଆହ୍ୱାନ ପାଲଟିଗଲାଣି । ଅନେକ କୋଭିଡ ହସପିଟାଲରେ ଅଧିକ ବେଡ୍ ନଥିବା ବେଳେ ରାଜ୍ୟ ସରକାର ଘରୋଇ ହସପିଟାଲଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ଘରୋଇ ହସପିଟାଲଗୁଡିକ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କେତେ ଦୂର ପାଳନ କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, ୫ଟି ମହାନଗର ନିଗମରେ ଥିବା ଘରୋଇ ହସପିଟାଲକୁ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଯେକୌଣସି ସମୟରେ ସଂପୂର୍ଣ୍ଣ କୋଭିଡ୍ ହସପିଟାଲରେ ପରିଣତ କରିପାରିବେ । ତେବେ ଘରୋଇ ହସପିଟାଲଗୁଡିକ କରୋନା ଚିକିତ୍ସା ପାଇଁ କେତେ ଟଙ୍କା ନେବେ, ସେ ନେଇ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଏଥିରେ କୁହଯାଇଛି, ସରକାର ପୂର୍ବରୁ ନିର୍ଦ୍ଧାରିତ କରିଥିବା ଦର ଅନୁସାରେ ହିଁ ଘରୋଇ ହସପିଟାଲଗୁଡିକ ଟଙ୍କା ନେଇପାରିବେ ।