ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ଅପରାଧ ଆଇନ୍ । ଆଉ ରହିବନି ପୁରୁଣା ନ୍ୟାୟ ବ୍ୟବସ୍ଥା । ଶୀତ ଅଧିବେଶନରେ ବିଲ୍ ପାରିତ କରିଥିଲେ କେନ୍ଦ୍ର ସରକାର ।

282

କନକ ବ୍ୟୁରୋ: ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଅପରାଧ ଆଇନ୍ । କେନ୍ଦ୍ର ସରକାର ଏନେଇ ଶନିବାର ଅଧିସୂଚନା ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ବ୍ରିଟିଶ କାଳ ଭାରତୀୟ ଦଣ୍ଡ ସହିତ (ଆଇପିସି), ଭାରତୀୟ ସାକ୍ଷ୍ୟ ଅଧିନିୟମ ଏବଂ ସିଆରପିସି ସ୍ଥଆନରେ ତିନି ନୂଆ ଅପରାଧ ଆଇନ୍ ଜୁଲାଇ ୧ ତାରିଖରୁ ଲାଗୁ ହେବ । ଯାହାକି ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ।

ଗତ ଶୀତ ଅଧିବେଶନ ସମୟରେ ସରକାର ସଂସଦର ଉଭୟ ଗୃହରେ ବିଲକୁ ପାରିତ କରିଥିଲେ । ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ବିଲଟି ଆଇନରେ ପରିଣତ ହେଇଥିଲା । ଏହି ତିନୋଟି ଆଇନ୍ ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨, ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ ଏବଂ ଆଇପିସିର ସ୍ଥାନ ନେବ । ତେବେ ନୂଆ ଆଇନରେ ଆତଙ୍କବାଦ, ମବ୍ ଲିଚିଙ୍ଗ୍ ଓ ରାଷ୍ଟ୍ର୍ୀୟ ସୁରକ୍ଷା ଭଳି ଅପରାଧରେ ସଜାକୁ ବଢାଇ ଦିଆଯାଇଛି ।

ଭାରତୀୟ ନ୍ୟାୟ ସଂହିତାରେ ୨୦ଟି ନୂଆ ଅପରାଧକୁ ଯୋଡା ଯାଇଛି । ସେହିପରି ଆଇପିସିରେ ଥିବା ୧୯ଟି ଅପରାଧକୁ ହଟାଇ ଦିଆଯାଇଛି । ଅନ୍ୟପଟେ ୩୩ଟି ଅପରାଧ ପାଇଁ ନୂଆ ଆଇନରେ ଜେଲ ଦଣ୍ଡକୁ ବଢାଇ ଦିଆଯାଇଛି । ତା ସହ ୮୩ଟି ବିଷୟରେ ଜରିମାନାର ସୀମାକୁ ବଢାଯାଇଛି । ସୂଚନାଯୋଗ୍ୟ ଯେ, ଶୀତ ଅଧିବେଶନ ସମୟରେ ଏହି ବିଲକୁ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଏହି ଆଇନ୍ ଲାଗୁ ହେବା ପରେ ‘ତାରିଖ-ପରେ-ତାରିଖ’ ଯୁଗର ଅନ୍ତ ହେବ । ନାଗରିକମାନେ ତିନି ବର୍ଷ ଭିତରେ ନ୍ୟାୟ ପାଇବେ । ଏହି ବିଲକୁ ଐତିହାସିକ ବୋଲି କହିବା ସହ ନାଗରିକଙ୍କ ଅଧିକାର ସର୍ବୋପରି ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।