ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି ! ଏଣିକି ରାଜ୍ୟ ସରକାର ଦେବେ ପ୍ରସ୍ତାବ, ୟୁପିଏସସି ଜରିଆରେ ନିଯୁକ୍ତ ହେବେ ପୋଲିସ ମହାନିର୍ଦ୍ଦେଶକ ।

17

ପୋଲିସ ମହାନିର୍ଦ୍ଦେଶକ ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ରାଜ୍ୟ ସରକାର ନିଜ ଇଛାରେ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅଧିକାର ଉପରେ ରୋକ ଲଗାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ.ଏନ ଖନୀଲକରଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି ଏଭଳି ଗୁରୁତ୍ପୂର୍ଣ୍ଣ ରାୟ ।

ତେବେ ବର୍ତ୍ତମାନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି କ୍ଷମତା ୟୁନିୟନ ପବ୍ଲିକ ସର୍ଭିସ କମିଶନ ତଥା ୟୁପିଏସସି ଅଧିନରେ ରହିବ । ନିଷ୍ପତି ଅନୁଯାୟୀ ଜଣେ ଡିଜିପିଙ୍କ ଅବସର ନେବା ୩ମାସ ପୂର୍ବରୁ ପରବର୍ତ୍ତୀ ଡିଜିପିଙ୍କ ନିଯୁକ୍ତି ପ୍ରକିୟା ଆରମ୍ଭ କରିବାକୁ ପଡିବ । ତେଣୁ ରାଜ୍ୟ ସରକାର ଉପଯୁକ୍ତ ପୋଲିସ ଅଧିକାରୀଙ୍କ ଏକ ତାଲିକା ୟୁପିଏସସିଙ୍କ ନିକଟକୁ ପଠାଇବାକୁ ବାଧ୍ୟ ବୋଲି ଖଣ୍ଡପୀଠରେ ନିଷ୍ପତି ହୋଇଛି । ତେବେ ରାଜ୍ୟ ସରକାର ପଠାଇଥିବା ତାଲିକା ମଧ୍ୟରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦବୀ ପାଇଁ ୩ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦେବ ୟୁପିଏସସି । ଏବଂ ୟୁପିଏସସି ଦ୍ୱାରା ସ୍ଥିର କରାଯାଇଥିବା ୩ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରି ପାରିବେ ରାଜ୍ୟ ସରକାର ।

ପୂର୍ବରୁ ୨୦୧୬ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ଅନ୍ୟୁନ ୨ ବର୍ଷ ରହିବା ଆବଶ୍ୟକ । ତେବେ ଗତ ପେବୃଆରୀରେ କେନ୍ଦ୍ର ସରକାର ଏହି ନିୟମକୁ ପାଳନ କରୁନଥିବା ଅଭିଯୋଗ କରିଥିଲେ । ତେବେ ମାତ୍ର ୫ଟି ରାଜ୍ୟ ଏହି ନିୟମ ପାଳନ କରୁଥିବା ଆଟୋର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲଙ୍କ ରିପୋର୍ଟ ସୁପ୍ରିମକୋର୍ଟଙ୍କ ହସ୍ତଗତ ହେବା ପରେ ଏଭଳି କଡା ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ତେଣୁ ଏବେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ପ୍ରତି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅନ୍ୟୁନ ୨ ବର୍ଷ ନିର୍ଦ୍ଧାରିତ ରହିବ ।