ଗରିବ ଲୋକଙ୍କ ପାଖରେ ପହଞ୍ଚୁନି ସରକାରୀ ସହାୟତା । ଲୁଟି ନେଉଛନ୍ତି ସରକାରୀ ବାବୁ ।

108

କନକ ବ୍ୟୁରୋ: ଅଭାବୀଙ୍କ ଅଭାବ ଦୂର କରିବା ପାଇଁ ସରକାରୀ ସ୍ତରରେ ଋଣର ବ୍ୟବସ୍ଥା କରାଯାଇଛି । ଅନେକ ସମୟରେ ଖୁବ୍ କମ୍ ସୁଧ ଓ ବିନା ସୁଧରେ ବି ଋଣ ଦେବାର ପ୍ରାବଧାନ ରହିଛି । କିନ୍ତୁ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବା ଆଗରୁ ବାଟବଣା ହୋଇଯାଉଛି । କେତେକ କ୍ଷେତ୍ରରେ ଗରୀବ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ କହି ଠକି ଦେଇଛନ୍ତି ବିଭାଗୀୟ ବାବୁମାନେ ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅର୍ଜୁନଡିହି ଗାଁର ହିତାଧିକାରୀଙ୍କୁ ଠକି ଦେଇଛନ୍ତି ସରାକାରୀ ବାବୁ । ଗାଇ, ଛେଳି, କୁକୁଡା ଓ ଅନ୍ୟାନ୍ୟ ଚାଷ ପାଇଁ ଋଣ ଦେବା ବଦଳରେ ଚାଷୀଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି ଏଜେଂଟ । ଅର୍ଜୁନଡିହି ଗାଁ ସମେତ ଟାଇଁସର ପଞ୍ଚାୟତର ୩ଟି ଗାଁ-ବୁରୋଡିହି, ଫଟାଟାଙ୍ଗର, ଠିଆନାଲର ଚାଷୀଙ୍କୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆରଏଡି ସ୍କିମ ଜରିଆରେ ଋଣ ଦେବାକୁ ଘୋଷଣା କରାଗଲା ।

ଗୋପାଳନ ପାଇଁ ୪୦ହଜାର, ଛେଳି ଚାଷ ପାଇଁ ୨୫ହଜାର ଓ ଅନ୍ୟାନ୍ୟ ଚାଷ ପାଇଁ ୨୫ ହଜାର ଲେଖାଏଁ ଋଣ ପ୍ରଦାନ କରାଯିବ । ଏବଂ ହିତାଧାକୀରଙ୍କ କାଗଜ ପତ୍ର ଯାଞ୍ଚ ପାଇଁ ଏଜେଂଟକୁ ନିଯୁକ୍ତି ଦିଆଗଲା । ଏଜେଂଟ ହିତାଧିକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ଗୋ-ପାଳନ ପାଇଁ ୧୦ ହଜାର ଓ ଛେଳି, କୁକୁଡା ଓ ଅନ୍ୟାନ୍ୟ ଚାଷ ପାଇଁ ୬ହଜାର ଟଙ୍କା ଲେଖାଁଏ ଆଗୁଆ ନେଇଗଲେ । ପରେ କେଉଁ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ଥର ଟଙ୍କା ଆସିଲା ତ ଆଉ କାହାର ବିଲକୁଲ୍ ଆସିଲା ନାହିଁ । ଯାହା ଆକାଉଣ୍ଟକୁ ଦୁଇ ଥର ଟଙ୍କା ଆସିଥିଲା ସେଗୁଡିକ ଏଜେଂଟ ନେଇଗଲେ କିନ୍ତୁ ଯାହାର ଆସିଲା ନାହିଁ ସେମାନଙ୍କ କଥା ଶୁଣିଲେ ନାହିଁ ଏଜେଂଟ କି ବିଭାଗୀୟ ବାବୁ ।

ଠକାମୀର ଶିକାର ହୋଇଥିବା ହିତାଧିକାରୀ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାର ସମାଧାନ କରି, ଠକି ସଂସ୍ଥା ଓ ଠକି ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଜମନକିରା ବ୍ଲକର ମୃତିକା ସଂରକ୍ଷଣ ବିଭାଗର ଜଣେ ଅଧିକାରୀ, ଠକ ଏଜେଂଟଙ୍କ ସହ ସାମିଲ ଥିବା ଲୋକେ ଅଭିଯୋଗ କରିଛନ୍ତି ।