କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ଜିଏସଟି ଚୋରି ରୋକିବାକୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ କେନ୍ଦ୍ରସରକାର ଜିଏସଟି ନେଇ ହେଉଥିବା ଅପରାଧକୁ ପିଏମଏଲଏ ଆଇନ ଅର୍ନ୍ତଭୁକ୍ତ କରିଛନ୍ତି । ଏନେଇ ସରକାରଙ୍କ ତରଫରୁ ଏକ ଅଧିସୂଚନା ଜାରି କରାଯାଇଛି । ଏହାର ଅର୍ଥ ହେଉଛି ଯଦି କୌଣସି ବ୍ୟବସାୟୀ ଜିଏସଟି ଦେୟ ନେଇ କୌଣସି ଗଡବଡ କରନ୍ତି ତେବେ ଇଡି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ପରୋକ୍ଷ କର ଓ କଷ୍ଟମ ଟ୍ୟାକ୍ସ ଚୋରି ରୋକିବାକୁ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ସରକାରଙ୍କ ତରଫରୁ ଜାରି କରାଯାଇଥିବା ଅଧିସୂଚନା ମୁତାବକ ଜିଏସଟି ନେଟୱର୍କ ଡାଟାର ସମ୍ପୂର୍ଣ୍ଣ ସୂଚନା ଇଡିକୁ ଦିଆଯିବ । ଅଧିସୂଚନା ପିଏମଏଲଏର ଧାରା ୬୧(୧)(୩) କ୍ରମରେ ଇଡି ଓ ଜିଏସଟିଏନ ମଧ୍ୟରେ ସୂଚନା ବିନିମୟ କରିବ ।
ଯଦି ଆମେ ପିଏମଏଲଏ କଥା କହିବା ତେବେ ଅର୍ଥ ହେରଫେରକୁ ରୋକିବା ଓ ଏହାସହିତ ଜଡିତ ସମ୍ପତ୍ତି ଜବତ କରିବା ପାଇଁ ଏହି ଆଇନ ତିଆରି କରାଯାଇଥିଲା । ଏହି କ୍ରମରେ ସରକାରଙ୍କ ପାଖରେ ବେଆଇନ ଭାବେ ରୋଜଗାର କରାଯାଇଥିବା ସମ୍ପତ୍ତି ଜବତ କରିବାର ଅଧିକାର ରହିଛି । ୨୦୦୨ ମସିହାରେ ଏହି ଆଇନ ପାରିତ ହୋଇଥିଲା । ହେଲେ ଏହା ଦେଶରେ ୨୦୦୫ ଜୁଲାଇ ୧ ତାରିଖରୁ ଲାଗୁ କରାଗଲା ।
ସୂଚନା ଥାଉକି ଦେଶରେ ଜିଏସଟି ଲାଗୁ ହେବାକୁ ୬ ବର୍ଷ ପୂରିଲାଣି । ଏହି କ୍ରମରେ ୨୦୧୭ ତୁଳାନରେ ଏବେ ଦେଶରେ କରଦାତାଙ୍କ ସଂଖ୍ୟା ଦୁଇଗୁଣ ହୋଇଛି । ଏବେ ଦେଶରେ ପାଖାପାଖି ୧.୪ କୋଟି ଲୋକ କର ଦେଉଛନ୍ତି ।