କେମିତି ମଲେ ବାଘ ଓ ହାତୀ? ହିସାବ ଦେଲେ ସରକାର ।

116

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ହାତୀ ଓ ବାଘଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ଏସବୁ ଭିତରେ କେଉଁ କାରଣରୁ ହାତୀ ଓ ବାଘର ମୃତ୍ୟୁ ସଂଖ୍ୟା ବଢିଛି ସେନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ । ୨୦୧୮ରୁ ଏବେ ଯାଏଁ  ରାଜ୍ୟରେ କେତେ ସଂଖ୍ୟକ ହାତୀ ଓ ବାଘର ମୃତ୍ୟୁ ହୋଇଛି ତାହାର ସବିଶେଷ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ ।

ବିଭାଗୀୟ ମନ୍ତ୍ରୀ ଗୃହରେ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ବେଶ ଚିନ୍ତାଜନକ । କାରଣ ୨୦୧୮ରୁ ଏବେ ଯାଏଁ ଅଥାର୍ତ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୨୮୨ଟି ହାତୀ ମୃତ୍ୟୁବରଣ କରିଛନ୍ତି । ୨୦୧୮ରେ ୯୩ଟି, ୨୦୧୯ରେ ୮୨ଟି, ୨୦୨୦ରେ ୭୭ ଓ ୨୦୨୧ ଅଗଷ୍ଟ ଯାଏଁ ୩୦ଟି ହାତୀଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୭ଟି ହାତୀ ଶିକାରରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଆଘାତରେ ୪୩, ରେଳ ଦୁର୍ଘଟଣାରେ ୧୩, ରାସ୍ତା ଦୁର୍ଘଟଣାରେ ୪, ବିଭିନ୍ନ ରୋଗରେ ପଡି ୧୦୧, ପ୍ରାକୃତିକଜନିତ ୩୪, ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୫୯ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୧ଟି ହାତୀର ମୃତ୍ୟୁର କାରଣ ଜଣାପଡିନାହିଁ ।

ସେହିଭଳି ୨୦୧୮ରୁ ଏବେ ଯାଏଁ ମୋଟ ୧୭ଟି ବାଘ ପ୍ରାଣ ହରାଇଛନ୍ତି । ଯେଉଁଥିରେ ୧୫ଟି କଳରାପତରିଆ ବାଘଙ୍କର ଜୀବନ ଯାଇଥିବା ବେଳେ ୨ଟି ମହାବଳ ବାଘର ମୃତ୍ୟୁ ହୋଇଛି । ଗୋଟିଏ ମହାବଳ ବାଘ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ବାଘଟି ରୋଗରେ ମୃତ୍ୟୁବରଣ କରିଛି । ଅନ୍ୟପଟେ ୫ଟି କଲରାପତରିଆ ବାଘ ଶିକାରରେ ମରିଥିବା ବେଳେ ରେଳ ଦୁର୍ଘଟଣାରେ ୧, ପ୍ରାକୃତିକ ଉପାୟରେ ୨, ଅନ୍ୟାନ୍ୟ ରୋଗରେ ୪ କଲରାପତରିଆ ବାଘଙ୍କର ଜୀବନ ଯାଇଛି । ସେହିଭଳି ୩ଟି କଲରାପତରିଆ ବାଘର ମୃତ୍ୟୁର କାରଣ ଜଣାପଡିନାହିଁ ।