କନକ ବ୍ୟୁରୋ : ଗୃହରେ ଉଠିଲା ଲୋକସେବା ଭବନ ଓ ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ଗଣମାଧ୍ୟମକୁ ନଛଡାଯିବା ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ଉଭୟ ବିଜେପି ଓ କଂଗ୍ରେସ । ଏହି ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ତୁରନ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଛାଡନ୍ତୁ ବୋଲି କହିଛନ୍ତି ମୋହନ ମାଝୀ ।

Advertisment

ସବୁ କିଛି ସ୍ୱାଭାବିକ ହେଲାଣି, କରୋନା କମିଲାଣି, ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସାମ୍ବାଦିକଙ୍କୁ ନଛାଡିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି ବିରୋଧୀ ।

କରୋନାର ପ୍ରଥମ ଲହର ଆରମ୍ଭ ହେବା ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା । କେବଳ ସାମ୍ବାଦିକ ନୁହଁନ୍ତି ବରଂ ଲୋକସେବା ଭବନକୁ କାମରେ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଥିଲା । କିନ୍ତୁ ଏବେ ସବୁକିଛି ସ୍ୱାଭାବିକ ହୋଇଥିବା ବେଳେ କାହିଁକି ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳୁନାହିଁ ତାହାକୁ ନେଇ ବିରୋଧୀ କ୍ଷୋଭ ପ୍ରକାଶ କରିଛନ୍ତି । ବିଧାନସଭାରେ ଯେହେତୁ ବାରମ୍ବାର ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି ତେଣୁ ଏବେ ଦେଖିବା ବାକି ରହିଲା କେବେ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳୁଛି ।