କନକ ବ୍ୟୁରୋ : ମହାମାରୀ କୋଭିଡ୍-୧୯ରୁ ଆରୋଗ୍ୟଲାଭ ପାଇଁ ଅଦ୍ୟାବଧି ସେଭଳି କିଛି ବିଜ୍ଞାନସମ୍ମତ ତଥା ପ୍ରମାଣସିଦ୍ଧ ଉପଚାର ବାହାରି ନଥିବା ବେଳେ ସଂକ୍ରମିତଙ୍କ ପାଇଁ ପ୍ଲାଜମା ଚିକିତ୍ସା ହିଁ ଅନ୍ୟତମ ଅବ୍ୟର୍ଥ ଉପଶମ ଭାବେ ବିଚାର କରାଯାଉଛି। ଅପରପକ୍ଷେ, ଦେଶରେ ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ସାଢ଼େ ତିନି ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ୨,୮୦୦ରୁ ଅଧିକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ପୀଡ଼ିତଙ୍କ ଉପଚାର ପାଇଁ ପ୍ଲାଜମାଦାନ କରିବାକୁ ଆଗ୍ରହୀ ଥିବା ସୁସ୍ଥ ନାଗରିକମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଜଣେ ଉତ୍ସାହୀ ପ୍ଲାଜମାଦାତା କ’ଣ କରିବା ଉଚିତ ଓ କ’ଣ ନକରିବା ଦରକାର ସେ ସଂକ୍ରାନ୍ତ ଏକ ତାଲିକା ଦିଆଯାଇଛି। ପ୍ରଥମତଃ ପ୍ଲାଜମା ଦାନ କରିବା ପୂର୍ବର ୪ ମାସ ଭିତରେ କୋଭିଡ୍ ନେଗେଟିଭ୍ ରିପୋର୍ଟର ହାର୍ଡ କପି ସହିତ ଆଧାର କାର୍ଡର କପି ସାଙ୍ଗରେ ରହିବା ଏକାନ୍ତ କାମ୍ୟ। ଜଣେ କରୋନାଭୂତାଣୁ ଆକ୍ରାନ୍ତଙ୍କ ଲକ୍ଷଣ ଦେଖାଯାଉ ବା ନଯାଉ ତାଙ୍କର କୋଭିଡ୍-୧୯ ପଜିଟିଭ୍ ରିପୋର୍ଟ ବାହାରିବାର ୧୪ ଦିନ ପରେ ହିଁ ପ୍ଲାଜମାଦାନ କରିପାରିବେ । ଗର୍ଭବତୀ ଥିବା ମହିଳାମାନେ ପ୍ଲାଜମାଦାନ କରିପାରିବେ ନାହିଁ।
ସେହିପରି କୋଭିଡ୍ ଟିକା ନେଇଥିବା ପ୍ଳାଜମାଦାତା ଟିକା ନେବାର ୨୮ ଦିନ ଭିତରେ ପ୍ଲାଜମାଦାନ କରିବାକୁ ବାରଣ କରାଯାଇଛି। ଜଣଙ୍କୁ ରକ୍ତରେ ଆବଶ୍ୟକ ପରିମାଣର ଆଣ୍ଟିବଡି ଅଭାବ କାରଣରୁ ମନା କରାଯାଇଥିଲେ ସେ ପ୍ଲାଜମାଦାନ କରିପାରିବେ ନାହିଁ। ତେବେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ପାଇଁ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଗୁଆ ଯୋଗାଯୋଗ କରିବା ଜରୁରୀ ବୋଲି କୁହାଯାଇଛି।