ଅବହେଳିତ ସରକାରଙ୍କ ଆଦର୍ଶ ବିଦ୍ୟାଳୟ । ପିଲାଙ୍କୁ ମିଳୁନି ଅନଲାଇନ୍ ପାଠ । ଏପଟେ ସ୍କୁଲ କୋଠାରେ ଚାଲିଛି ମଦ୍ୟପଙ୍କ ଭୋଜିଭାତ

134

କନକ ବ୍ୟୁରୋ: ଶିକ୍ଷାର ଭିର୍ତିଭୁମିକୁ ସଜାଡିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କୋଟି କୋଟି ଟଙ୍କାରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଯାଜପୁର ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟର ଅଭାବନୀୟ ଚିତ୍ର ଆମ କ୍ୟାମେରାରେ କଏଦ ହୋଇଛି । ଆଦର୍ଶ ବିଦ୍ୟାଳୟ ପାଲଟିଛି ମଦ୍ୟପଙ୍କ ଆଡାସ୍ଥଳି । ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷାରୁ ବଂଚିତ ହେଉଥିବା ବେଳେ ବିଦ୍ୟାଳୟକୁ ଯିବାକୁ ରାସ୍ତା ନାହିଁ କି ବିଦ୍ୟୁତ ସେବା ଓ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଦେଖନ୍ତୁ ଏହି ରିପୋର୍ଟ ।

ସରକାରୀ ଆଦର୍ଶ ବିଦ୍ୟାଳୟ ପାଲଟିଛି ଭୂତକୋଠୀ, ମଦ୍ୟପଙ୍କ ଆଡାସ୍ଥଳି । ଏ ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଅଦର୍ଶ ବିଦ୍ୟାଳୟର ଦୃଶ୍ୟ । ୪ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ପାଠପଢା ହେଉନାହିଁ, କିନ୍ତୁ ଭୋଜି ହେଉଛି, ମଦୁଆଙ୍କ ଆଡା ସ୍ଥଳି ପାଲଟିଛି । ବିଂଝାରପୁର ବ୍ଲକର ଏହି ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି, ହେଲେ ପାଠପଢାଇବାକୁ ଶିକ୍ଷକ ନଥିବାରୁ ବିଦ୍ୟାଳୟଟି ଏକ ପ୍ରକାର ଭୂତକୋଠୀ ପାଲଟି ଯାଇଛି ।

୨୦୨୦-୨୧ ଶିକ୍ଷା ବର୍ଷରୁ ନାମ ଲେଖାଇଛନ୍ତି ଛାତ୍ରଛାତ୍ରୀ । ଷଷ୍ଠ ଏବଂ ସପ୍ତାମ ଶ୍ରେଣୀରେ ୧୩୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ହେଲେ ସେମାନଙ୍କୁ ପାଠ ପଢାଇବାକୁ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି । ତେଣୁ କରୋନା କାଳରେ ପିଲାମାନେ ଅନଲାଇନ୍ ଶିକ୍ଷାରୁ ବଂଚିତ ହୋଇଛନ୍ତି । ବିଂଝାରପୁର ଆଦର୍ଶ ବିଦ୍ୟାଳୟରେ ୨-୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ କାମ ସାରି ଦେଇଛି ଶିକ୍ଷା ବିଭାଗ । ବିଦ୍ୟାଳୟକୁ ଯିବାକୁ ପକ୍କା ରାସ୍ତା ଟିଏ ବି ନାହିଁ । ସମସ୍ୟା ଭିତରେ ଥିବା ଆଦର୍ଶ ବିଦ୍ୟାଳୟକୁ ସୁଧାରିବାକୁ ହେଲେ ତୁରନ୍ତ ଶିକ୍ଷକ ନିଯୁକ୍ତି ସହ ଭିତିଭୂମି ସଜାଡିବାକୁ ଅଭିଭାବକମାନେ ଦାବି କରିଛନ୍ତି । ସେପଟେ ବିଦ୍ୟାଳୟ ସମସ୍ୟାକୁ ସ୍ୱୀକାର କରିବା ସହ ସମାଧାନ ପାଇଁ ଶିକ୍ଷା ବିଭାଗକୁ ଜଣାଇଥିବା କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ।

ଶିକ୍ଷା ବିଭାଗର ଏଭଳି ଅବ୍ୟବସ୍ଥା ଭିତରେ ଆଦର୍ଶ ବିଦ୍ୟାଳୟର ଅବସ୍ଥା କେବେ ସୁଧୁରିବ? ଏଠି ଆସର ଜମାଉଥିବା ଅସାମାଜିକ ଲୋକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ? ତାକୁ ହିଁ ଅପେକ୍ଷା ।