ସରପଂଚଙ୍କ ଦାବି ମାନିଲେ ସରକାର ।  ପଂଚାୟତର ଟଙ୍କା ଉଠାଣ ଫାଇଲରେ ଆଉ ରହିବନି ବିଡିଓଙ୍କ କାଉଂଟର ଦସ୍ତଖତ

3,008

କନକ ବ୍ୟୁରୋ :  ସରପଂଚଙ୍କ ଦାବି ମାନିନେଲେ ସରକାର । ପଂଚାୟତ ଫାଇଲ୍ରେ ଆଉ ରହିବନି ବିଡିଓଙ୍କ କାଉଁଟର ଦସ୍ତଖତ । କେନ୍ଦ୍ର ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗଙ୍କ ଅଧୀନସ୍ଥ ଯୋଜନାରେ ଯେଉଁ କାମ ପଂଚାୟତସ୍ତରରେ ହେବ ତାର ବିଲ୍ ମଞ୍ଜୁର ପାଇଁ ବିଡିଓଙ୍କ ଦସ୍ତଖତ ଆବଶ୍ୟକ ହେବ ନାହିଁ । ଏଣିକି ପଂଚାୟତରେ ଏହି ଯୋଜନାରେ ହେଉଥିବା ଏହି କାମ ପାଇଁ ସରପଂଚମାନଙ୍କୁ ଆର୍ଥିକ କ୍ଷମତା ଦିଆଯାଇଛି । ବିଡିଓମାନେ ପୂର୍ବପରି ଗ୍ରାମପଂଚାୟତ ଉନ୍ନୟନ ଯୋଜନା, ଏହାକୁ କାର୍ଯ୍ୟକାରୀ କରିବା, ନିରୀକ୍ଷଣ କରିବା ଓ ଅନୁଦାନ ଖର୍ଚ୍ଚର ରିପୋର୍ଟ ଦେବେ । ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ ଲୋହାନୀ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ପଂଚାୟତର ସବୁ କ୍ଷମତା ଫେରାଇବା ଦାବିରେ ସରପଂଚମାନେ ଗତ ସେପ୍ଟେମ୍ବର ମାସରେ ୨୨ ଦିନ ଆନ୍ଦୋଳନ କରିଥିଲେ । ୧୫ ଦଫା ଦାବି ନେଇ ଗାନ୍ଧୀମାର୍ଗରେ ହୁଲୁସ୍ତୁଲ କରିଥିଲେ । ଆସନ୍ତାକାଲି ଏଥିପାଇଁ ହରତାଳ କରିବାକୁ ଘୋଷଣା କରିଥିଲା ରାଜ୍ୟ ସରପଂଚ ମହାସଂଘ । ଏହା ପୂର୍ବରୁ ସରକାର ସରପଂଚଙ୍କ ଦାବିକୁ ମାନି ନେଇଛନ୍ତି ।