ସୁରକ୍ଷାବଳୟ ଭିତରେ ରହିବ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ, ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ସ୍ୱତନ୍ତ୍ର ବନ୍ଧ । ଖର୍ଚ୍ଚ ହେବ ୬ ହଜାର କୋଟି ।

470

କନକ ବ୍ୟୁରୋ : ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକକୁ ମଜବୁତ କରିବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ନିର୍ମାଣ କରିବ ଜଳ ସଂପଦ ବିଭାଗ । ପଥର ବନ୍ଧ ସହ ତାର ଜାଲିରେ ଆବଦ୍ଧ କରାଯିବ ।

ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୯୪୪ କୋଟି ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ ହେବ । ଡିପିଆର ପ୍ରସ୍ତୁତ ସରିଛି । ଆଗାମୀ ସମୟରେ ଏଥିପାଇଁ ୬ରୁ ୭ ହଜାର କୋଟି ଖର୍ଚ୍ଚ ହେବ ।ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ପୂର୍ବରୁ ପୁରୀ , କେନ୍ଦ୍ରାପଡା , ଜଗତସିଂହପୁର ଓ ଗଞ୍ଜାମର ସମୁଦ୍ର କୂଳରେ ୫୨ କିଲୋମିଟର ବନ୍ଧ କରାଯାଇଥିଲା । ବିଶ୍ଵବ୍ୟାଙ୍କ ସହାୟତାରେ ୨୦୧୩-୧୬ରେ ପ୍ରସ୍ତୁତ ହୋଇଥିଲା ଏହି ବନ୍ଧ । ଏପରିକି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଥିବା ଲୁଣାବନ୍ଧକୁ ଉଚ୍ଚ କରାଯିବ । ଗତକାଲି ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ନବୀନ ।