କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ସଂକଟ ମଧ୍ୟରେ ଆଜି ଗୋଆରୁ ମୁମ୍ବାଇ ଫେରୁଛନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ସେ ଅପରାହ୍ନ ୩.୩୦ ରେ ମୁମ୍ବାଇ ପହଂଚିବେ ବୋଲି କୁହାଯାଉଛି । ହେଲେ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ଜେଡ କାଟାଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି । ଏବେ ସେ ଗୋଆରୁ ଏକୁଟିଆ ମୁମ୍ବାଇ ଆସୁଛନ୍ତି । ସେ କହିଛନ୍ତି କି, ମୁମ୍ବାଇ ପହଂଚିବା ପରେ ପ୍ରଥମେ ସେ ରାଜ୍ୟପାଳଙ୍କୁ ଭେଟିବେ ଓ ପରେ ଦେବେନ୍ଦ୍ର ଫଡନଭିସଙ୍କ ସହ ଆଲୋଚନା କରିବେ ।

Advertisment

ସେପଟେ କିଛି ସୂତ୍ର ସୂଚନା ମୁତାବକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନଭିସ ଶପଥ ନେଇପାରନ୍ତି । ଆଜି ଅପରାହ୍ନ ୩ଟାରେ ଦେବେନ୍ଦ୍ର ଫଡନାଭିସ ଓ ବିଜେପିର ଏକ ଟିମ ଏବଂ ଏକନାଥ ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବେ । ଏହା ଯଦି ଠିକଠାକ ଭାବେ ଚାଲେ ତେବେ ସେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଶିବସେନା ନେତା ସଂଜୟ ରାୱତ ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଆମ ଲୋକ ଆମ ସହିତ ବିଶ୍ୱାସଘାତକତା କଲେ । ଦୀର୍ଘଦିନ ହେବ ସରକାର ଭାଙ୍ଗିବାକୁ ଯୋଜନା ଚାଲିଥିଲା । ସରକାରରେ ନରହିଲେ ବି ଆମେ ବାଲା ସାହେବଙ୍କ ଆଦର୍ଶକୁ ଆଗକୁ ନେଇ ଯିବୁ ବୋଲି ସଂଜୟ କହିବା ସହ ଏକନାଥ ସିନ୍ଦେଙ୍କୁ ଶୁଭକାମନା ଜଣାଇଛନ୍ତି ।