ଜେଇ ମେନ୍ ପରୀକ୍ଷା : ଓଡ଼ିଶା ଟପ୍ପର ହେଲେ ବାଲେଶ୍ୱରର ଗୌତମ ଦାସ

ଜେଇ-ମେନରେ ରଖିଛନ୍ତି ୯୯ଦଶମିକ ୯୯୯ରୁ ଅଧିକ ପରସେଂଟାଇଲ; ସର୍ବଭାରତୀୟ ସ୍ତରରେ ୨୮ତମ ସ୍ଥାନରେ କୃତୀତ୍ୱ ଅର୍ଜନ

82

କନକ ବ୍ୟୁରୋ : ଜେଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସର୍ବଭାରତୀୟ ସ୍ତରରେ ୨୮ ତମ ସ୍ଥାନରେ ରହିଛି ମେଧାବୀ ଛାତ୍ର ଗୌତମ । ଜେଇ ମେନରେ ୯୯.୯୯୯ରୁ ଅଧିକ ପରସେଂଟାଇଲ ରଖି ସେ ଏପରି କୃତିତ୍ୱ ଅର୍ଜନ କରିଛନ୍ତି । ବାଲେଶ୍ୱରର ମାଣିିକଖମ୍ବ ସରସ୍ୱତୀ ଶିଶୁମନ୍ଦିରରୁ ଦଶମ ପାସ ପରେ ସାଇ ଇଂଟରନେସନାଲ ସ୍କୁଲରେ ପ୍ଲସ ଟୁ ପଢୁଥିଲେ ଗୌତମ ।

ପିଲାଟି ବେଳୁ ଅତ୍ୟନ୍ତ ମେଧାବୀ ଥିବା ଗୌତମ କହିଛନ୍ତି, ବାପା ମାଆଙ୍କ ଆଶୀର୍ବାଦ ଓ ସବୁବେଳେ ସମର୍ଥନ ଯୋଗାଇ ଆସିଥିବାରୁ ସେ ଏହି ସଫଳତା ପାଇଛନ୍ତି । କ୍ଲାସରେ ମନଧ୍ୟାନ ଦେଇ ପାଠ ବୁଝିଥିଲେ, ଏଭଳି ଫଳ ମିଳିବ ବୋଲି ସେ କହିଛନ୍ତି । ଜେଇ ମେନ୍ରେ ସଫଳତା ପରେ ଜେଇ ଆଡଭାନ୍ସ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଗୌତମ । ରାଜ୍ୟ ଟପର ହୋଇଥିବାରୁ ବହୁତ ଖୁସି ଲାଗୁଛି । ପରୀକ୍ଷା ପାଇଁ ପ୍ରତିଦିନ ୬ ଘଣ୍ଟା ଲେଖାଏ ପଢ଼ୁଥିଲି ।ଏବେ ସଫଳତା ମିଳିଛି । ଆଗକୁ ବମ୍ବେ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିବାକୁ ଲକ୍ଷ୍ୟ ରଖିଛି । ଏଥିସହ ଜଣେ ଆଇଏଏସ୍ ଅଫିସର ହୋଇ ଦେଶର ସେବା କରିବାକୁ ବହୁତ ଇଚ୍ଛା ଅଛି ।

ତେବେ ଜେଇଇ ମେନ୍‌ରେ ଶ୍ରେଷ୍ଠତ୍ବ ଅର୍ଜନ କରିଥିବା ପ୍ରାୟ ୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧ ହଜାର ୨୫୦ ଜଣ ସାଧାରଣ ବର୍ଗ, ୨୫ ହଜାର ଆର୍ଥିକ ଦୁର୍ବଳ ବର୍ଗ, ୬୭ ହଜାର ୫୦୦ ଜଣ ଓବିସି, ୩୭ ହଜାର ୫୦୦ ଜଣ ଏସ୍‌ସି ଓ ୧୮ ହଜାର ୭୫୦ ଜଣ ଏସ୍‌ଟି ବର୍ଗର ରହିଥିବା ସୂଚନା ମିଳିଛି । ସାଧାରଣ ବର୍ଗରେ ଏଥର କଟ୍‌ ଅଫ୍‌ ମାର୍କ ୮୭.୮୯ ରହିଥିବା ବେଳେ ଓବିସି-ଏନ୍‌ସିଏଲ୍‌ ବର୍ଗରେ ୬୮.୦୨, ଏସ୍‌ସିରେ ୪୬.୮୮, ଏସ୍‌ଟିରେ ୩୪.୬୭, ସାଧାରଣବର୍ଗ-ଇଡବ୍ଲୁଏସ୍‌ରେ ୬୬.୨୨ ପ୍ରତିଶତ ହୋଇଛି। ପରୀକ୍ଷା ସମୟରେ ଅସଦ୍‌ ଉପାୟ ଅବଲମ୍ବନ କରିଥିବା ୨୦ ଜଣ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସ୍ଥଗିତ ରଖାଯାଇଛି ।