ମଧ୍ୟପ୍ରଦେଶରେ ବାର୍ଷିକ ଟେକାପଥର ଫିଙ୍ଗା ଉତ୍ସବ : ୪୦୦ରୁ ଅଧିକ ଆହତ 

81

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବାର୍ଷିକ ‘ଗୋଟ୍‌ମାର୍‌ ମେଳା’ରେ ପାରମ୍ପରିକ ଟେକାପଥର ଫିଙ୍ଗା ଉତ୍ସବରେ ୪୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଛିନ୍ଦାୱାରା ଜିଲ୍ଲା ଅନ୍ତର୍ଗତ ଜାମ ନଦୀକୂଳରେ ଏହି ମେଳା ଆୟୋଜିତ ହୋଇଥିଲା । ମେଳା ହେଉଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ୧୦୦୦ ପୁଲିସ ଓ ୩୫ଜଣ ଡାକ୍ତରଙ୍କୁ ମୁତୟନ କରିଯାଇଛି । ଏହାଛଡ଼ା, ଡ୍ରୋନ୍‌ଦ୍ୱାରା କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖାଯାଇଛି ।

‘ଚିଫ୍‌ ମେଡିକାଲ୍‌ ହେଲ୍‌ଥ୍‌ ଅଫିସର୍‌’ ଡାକ୍ତର ଜିସି ଚୌରସିଆ କହିଛନ୍ତି, ମଙ୍ଗଳବାର ଦିନ ‘ଗୋଟ୍‌ମାର୍‌’ ମେଳା ସମୟରେ ୪୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଉନ୍ନତ ଚିକିତ୍ସା ଲାଗି ସାଙ୍ଘାତିକ ଆହତ ହୋଇଥିବା ଦୁଇଜଣଙ୍କୁ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରର ନାଗପୁରକୁ ‘ରେଫର୍‌’ କରାଯାଇଛି । ‘ଗୋଟ୍‌ମାର୍‌’ ମେଳା ହେଉଛି ଶତାଧିକ ବର୍ଷ ପୁରାତନ ବିଶ୍ବର ସବୁଠୁ ରକ୍ତପାତମୟ ମେଳା। ଶବରଗାଁ ଓ ପାର୍ଢୁନା ନାମରେ ଦୁଇଟି ଗାଁର ବାସିନ୍ଦାମାନେ ଏହି ମେଳା ସମୟରେ ଜାମ୍‌ନଦୀର ଉଭୟ ତଟରେ ରୁଣ୍ଡ ହୁଅନ୍ତି। ଅଗରେ ପତାକା ବନ୍ଧା ଯାଇଥିବା ଗୋଟାଏ ବୃକ୍ଷକୁ ନେଇ ମଝିନଈରେ ପୋତା ଯାଇଥାଏ । ‘ଗୋଟ୍‌’ ବା ‘ଟେକା’ ପକାଇ ଗଛ ଅଗରେ ଲାଗିଥିବା ପତାକାକୁ ଖସାଇବା ଲାଗି ଉଭୟ ପକ୍ଷ ଉଦ୍ୟମ କରିନ୍ତି । ପ୍ରଥମେ ପତାକା ଖସାଇ ଦେଇଥିବା ପକ୍ଷ ଏଥିରେ ବିଜୟୀ ହୁଅନ୍ତି ।

ସେପ୍ଟେମ୍ବର ମାସରେ ‌‘ଗୋଟ୍‌ମାର୍‌’ ମେଳା ଆୟୋଜନ କରାଯାଏ । ମା ଦୁର୍ଗାଙ୍କର ପବିତ୍ର ନାମଉଚ୍ଚାରଣପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଚାଲେ। ମଙ୍ଗଳବାର ଦିନ ଜିଲ୍ଲାପାଳ ସୌରଭ କୁମାର ସୁମନ କହିଛନ୍ତି ଯେ, ଏବର୍ଷ ଶାନ୍ତିଶୃଙ୍ଖଳାର ସହ ମେଳା ସମାପନ ହୋଇଛି । ପୂର୍ବବର୍ଷଗୁଡ଼ିକ ତୁଳନାରେ କମ୍‌ ବ୍ୟକ୍ତି ଆହତ ହୋଇଛନ୍ତି । ଏହାଛଡ଼ା, ସାଙ୍କେତିକ ଭାବ‌େ ଏହି ଉତ୍ସବ ପାଳନ କରାଯାଉ ବୋଲି ସେ ଗ୍ରାମବାସୀମାନଙ୍କୁ ବୁଝାଇଛନ୍ତି । ସ୍ଥାନୀୟ କିଂବଦନ୍ତି ଅନୁସାରେ, ପ୍ରାୟ ୩୦୦ ବର୍ଷ ପୂର୍ବେ ପାର୍ଢୁନା ଗାଁର ଜଣେ ତରୁଣ ସବରଗାଁଓର ଜଣେ ତରୁଣୀକୁ ନେଇ ପଳାଇଯାଇଥିଲା । ତରୁଣୀ ସହ ନଈ ପାରି ହୋଇ ପଳାଉଥିବା ତରୁଣକୁ ବାଧା ଦେବା ପାଇଁ ସବରଗାଓଁର ଲୋକେ ଟେକା ଫିଙ୍ଗିବାରୁ ଉଭୟଙ୍କୁ ନିରାପଦରେ ଗ୍ରାମକୁ ଘେନି ଆସିବାକୁ ପାର୍ଢୁନା ଗାଁର ଲୋକେ ମଧ୍ୟ ସବରଗାଓଁ ଲୋକଙ୍କ ଉପରକୁ ଟେକା ଫିଙ୍ଗିଥିଲେ ।