ଟିକା ନିଅନ୍ତୁ, ଟିକେଟ୍ ପାଆନ୍ତୁ… ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ ଅଫର । ଟିକା ନେଲେ ଟିକେଟରେ ୧୦% ମିଳିବ ରିହାତି…

125

କନକ ବ୍ୟୁରୋ: ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଆକର୍ଷଣୀୟ ଉପହାର ମଧ୍ୟ ଘୋଷଣା କରାଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଏୟାର ଲାଇନ୍ସ କୁହାଯାଉଥିବା ଇଣ୍ଡିଗୋ ତା’ର ଯାତ୍ରୀମାନଙ୍କ ପାଇଁ ଟିକେଟ ଉପରେ ରିହାତି ଘୋଷଣା କରିଛି ।

ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ‘ଭ୍ୟାକ୍ସି ଫେୟାର’ ନାମରେ ଏକ ଅଫର ଲଞ୍ଚ କରାଯାଇଛି । ଏହି ଅଫର କେବଳ ଟିକା ନେଇଥିବା ଯାତ୍ରୀମାନଙ୍କ କ୍ଷେତ୍ରରେ ଲାଗୁ କରାଯିବ । କମ୍ପାନି ତରଫରୁ କୁହାଯାଇଛି କି ଯେଉଁ ଲୋକମାନେ ଟିକା ନେବା ପରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଛନ୍ତି, ସେମାନଙ୍କୁ ଟିକେଟର ପ୍ରକୃତ ମୂଲ୍ୟ ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ ।

ଇଣ୍ଡିଗୋ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି କି, ଏହି ଅଫର ସେହି ମାନଙ୍କୁ ମିଳିବ ଯେଉଁମାନେ ସର୍ବନିମ୍ନ ଟିକାର ଗୋଟିଏ ଡୋଜ ନେଇଥିବେ । ଏହାସହ ଯାତ୍ରୀଙ୍କ ନିକଟରେ ଟିକାକରଣ ପ୍ରମାଣପତ୍ର ରହିଥିବା ଜରୁରୀ । ଯଦି କୌଣସି ଲୋକ ଭୂଲ ସୂଚନା ଦେଇ ଏହି ଅଫରରୁ ଲାଭ ନେଇଥିବେ ତେବେ ଚେକ୍ ଇନ୍ କାଉଣ୍ଟରରେ ଧରାପଡିବା ପରେ ସେମାନଙ୍କ ଠାରୁ ରିହାତି ପାଇଥିବା ଅର୍ଥ ସହ ଟିକେଟ ବଦଳ ଚାର୍ଜ ଆଦାୟ କରାଯିବ । ଏହାସହ ଲାଭାର୍ଥି ଟିକେଟର ବୁକିଂ ଇଣ୍ଡିଗୋ ୱେବସାଇଟରେ କରିଥିବା ଜରୁରୀ ଅଟେ ।