କନକ ବ୍ୟୁରୋ: ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢି ଉଠିଛି ପ୍ରକୃତିର ଅପରୂପ ସମ୍ଭାର ଭିତରକନିକା । ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଯେତିକି ଆକୃଷ୍ଟ କରେ, ସେହିପରି ଭିତରକନିକାରେ ବାସ କରୁଥିବା ଦୁଇଟି ଧଳା କୁମ୍ଭୀର ପର୍ଯ୍ୟଟକଙ୍କୁ ଭିତରକନିକା ଆସିବାକୁ ବାଧ୍ୟକରେ । ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରାକୃତିକ ପରିବେଶରେ ଧଳା କୁମ୍ଭୀର ଦେଖା ଯାଉନଥିବାରୁ ଭିତରକନିକାର ଦୁଇ ଧଳା କୁମ୍ଭୀର ମଲ୍ଲୀ ଏବଂ ଗୋରୀର ବିଶେଷ ମହତ୍ୱ ରହିଛି । ୧୯୭୫ ମସିହାରେ ଜନ୍ମଲାଭ କରିଥିବା ଗୋରୀକୁ ୪୮ବର୍ଷ ପୁରିଯାଇଛି । ମାତ୍ର ଗୋରୀ ଠାରୁ ଅନ୍ୟ କୌଣସି ଧଳା କୁମ୍ଭୀର ସୃଷ୍ଟି କରାଯାଇ ପାରିନାହିଁ । ଗୋରୀ ଯୌବନର ଅପରାହ୍ନରେ ପାଦ ଥାପିଛି । ଆଉ ଗୋରୀ ମାଆ ହେବ ବୋଲି ବନବିଭାଗ ଏବଂ ପରିବେଶବିତମାନେ ଆଶା ରଖିନାହାଁନ୍ତି । ମାତ୍ର ମଲ୍ଲୀ ୨୦ବର୍ଷରେ ପଦାର୍ପଣ କରିବା ସହ ଯୌବନରେ ପହଁଚିଛି । ଏଯାବତ୍ ମଲ୍ଲୀ ସହିତ ମଧ୍ୟ କୌଣସି ପୁରୁଷ କୁମ୍ଭୀର ମିଳନ ପକ୍ରିୟାରେ ସାମିଲ ହୋଇନାହିଁ । ତେବେ ମଲ୍ଲୀର ମାତୃତ୍ୱ ଲାଭ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଭିତରକନିକାର ଦ୍ୱିତୀୟ ଧଳା କୁମ୍ଭୀର ମଲ୍ଲୀ ପୂର୍ବରୁ ୨ଥର ଅଣ୍ଡା ଦେଇଥିଲେ ମଧ୍ୟ ସେଥିରୁ ଛୁଆ ବାହାରି ନଥିଲା । ଏଥର ତାର ଚାଲି ଚଳନ ଓ ବ୍ୟବହାରରେ ପରିବର୍ତନରୁ ଚଳିତବର୍ଷ ପୁଣି ଅଣ୍ଡା ଦେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ମଲ୍ଲୀ ପୁରୁଷ କୁମ୍ଭୀର ସହ ମିଳନ ପକ୍ରିୟାରେ ସାମିଲ ହୋଇନଥିବାରୁ ଏଥର ଯଦି ଅଣ୍ଡା ଦିଏ, ସେଥିରୁ ଛୁଆ ସୃଷ୍ଟି ହୋଇନପାରେ । ଆବଦ୍ଧ ଜଳାଶୟ ମଧ୍ୟରେ ଥିବା ମଲ୍ଲୀ ମାଆ ହେବ ନା ଭାରତର ପ୍ରଥମ ଧଳା କୁମ୍ଭୀର ଗୋରୀ ପରି ମାତୃତ୍ୱରୁ ବଞ୍ଚିତ ହୋଇ ରହିବ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି । ମଲ୍ଲୀ ୨୦୧୮ ମସିହାରେ ୧୮ଟି, ୨୦୨୧ ମସିହାରେ ୨୩ଟି ଅଣ୍ଡା ଦେଇଥିଲେ ମଧ୍ୟ ସେଥିରୁ ଛୁଆ ବାହାରିନଥିଲା । ପୂର୍ବରୁ ଗୋରୀ ସହ ପୁରୁଷ କୁମ୍ଭୀରର ମିଳନ ପାଇଁ ଉଦ୍ୟମ ହୋଇଥିଲା, ସେଥିରେ ଗୋରୀ କ୍ଷତାକ୍ତ ହୋଇଥିଲା । ମଲ୍ଲୀ ସମ୍ପର୍କରେ କୁମ୍ଭୀର ବିଷାରଦଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଏଫଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/10-26.jpg)