କନକ ବ୍ୟୁରୋ: ସବୁଠୁ ବଡ ତଥା ପ୍ରତିଷ୍ଠିତ ଧାର୍ମିକ ପୁସ୍ତକର ପ୍ରକାଶକ ‘ଗୀତା ପ୍ରେସ୍’କୁ ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା ହୋଇଥିଲା । ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ହୋଇଥିଲା । ହେଲେ ଏହି ପୁରସ୍କାରରେ ଦିଆଯାଉଥିବା ୧ କୋଟି ଟଙ୍କାର ଆର୍ଥିକ ରାଶିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଗୀତା ପ୍ରେସ୍ ପ୍ରବନ୍ଧକ ।

Advertisment

ଗୋରଖପୁର ଗୀତା ପ୍ରେସ ପ୍ରବନ୍ଧକ ଲାଲମଣୀ ତିୱାରୀ କହିଛନ୍ତି, ‘ଆମେ କୌଣସି ପ୍ରକାର ଆର୍ଥିକ ସହାୟତା କିମ୍ବା ପୁରସ୍କାର ଗ୍ରହଣ କରୁନାହିଁ । ଏଥିପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ଦିଆଯାଉଥିବା ଆର୍ଥିକ ରାଶିକୁ ମଧ୍ୟ ଗ୍ରହଣ କରିବୁ ନାହିଁ । ଏହାପୂର୍ବରୁ ମଧ୍ୟ ଗୀତା ପ୍ରେସକୁ ଅନେକ ପୁରସ୍କାର ଦିଆଯାଇଥିଲେ ବି ଆମେ ଗ୍ରହଣ କରିନୁ । ଯଦିଓ ଏଥର ପରମ୍ପରା ବାହାରେ ଏହି ସମ୍ମାନକୁ ସ୍ୱୀକାର କରିବୁ କିନ୍ତୁ ଏଥିରେ ମିଳିବାକୁ ଥିବା ୧ କୋଟି ଟଙ୍କାର ଆର୍ଥିକ ରାଶିକୁ ଆମେ ଗ୍ରହଣ କରିବୁ ନାହିଁ ବରଂ ସରକାର ଏହାକୁ ଅନ୍ୟ ପ୍ରଗତିଶୀଳ କାର୍ଯ୍ୟରେ ଲଗାଇବାକୁ ଅନୁରୋଧ’ ।

ସୂଚନା ମୁତାବକ, ରବିବାର ୨୦୨୧ ବର୍ଷ ପାଇଁ ଗୀତା ପ୍ରେସକୁ ‘ ଗାନ୍ଧୀ ଶାନ୍ତି ପୁରସ୍କାର ଦିଆଯିବାକୁ ଘୋଷଣା କରାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା । ହେଲେ ଏହା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ବିରୋଧ କରିବାରୁ ରାଜନୀତି ସରଗରମ ହୋଇଥିଲା । ‘ଗୀତା ପ୍ରେସ୍‌’କୁ ଗାନ୍ଧୀ ଶାନ୍ତି ପୁରସ୍କାର-୨୦୨୧ ପ୍ରଦାନ କରାଯିବା ନିଷ୍ପତ୍ତି ସାବରକର୍‌ ଓ ଗଡସେଙ୍କୁ ପୁରସ୍କାର ଦେବା ଭଳି ବୋଲି ତୀବ୍ର ସମାଲୋଚନା କରି ଟ୍ୱିଟ୍ କରିଥିଲେ କଂଗ୍ରେସ ନେତା ଜୟରାମ ରମେଶ ।

ଏବେ ପୁରସ୍କାରର ୧ କୋଟି ଟଙ୍କାକୁ ଗ୍ରହଣ କରିବାକୁ ପ୍ରେସ୍ ପ୍ରବନ୍ଧକ ମନା କରିଦେବା ପରେ କଂଗ୍ରେସ ନେତାଙ୍କୁ ଉଚିିତ ଜବାବ ମିଳିଛି ବୋଲି ଆଲୋଚନା ହେଉଛି ।