ବିଆରଡି ମେଡିକାଲରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଯୋଗୀଙ୍କ ଆକ୍ସନ, ଡାକ୍ତର କଫିଲ ଖାନଙ୍କୁ ବରଖାସ୍ତ

98

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଗୋରଖପୁର ଠାରେ ଥିବା ବାବା ରାଘବ ଦାବ ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଯୋଗୀ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ଯୋଗୀ ସରକାର ଅଭିଯୁକ୍ତ ଡାକ୍ତର କଫିଲ ଖାନଙ୍କୁ ବରଖାସ୍ତ କରିଛନ୍ତି । ଏହି ମାମଲାରେ ପ୍ରଥମରୁ ଡାକ୍ତର କଫିଲ ଖାନଙ୍କୁ ୟୁପି ସରକାର ନିଲମ୍ବିତ କରିଥିଲେ ।

୪ ବର୍ଷ ପୂର୍ବେ ବିଆରଡି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ ଶିଶୁ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ୟୁପି ସରକାର ଡାକ୍ତର କଫିଲ ଖାନଙ୍କୁ ନିଲମ୍ବିତ କରିଥିଲେ । ଏହାପରେ ଏକ କମିଟି ଗଠନ କରାଯାଇ କଫିଲଙ୍କ ବିରୋଧରେ ଯାଂଚ କରାଯାଉଥିଲା । ଏବେ ଚିକିତ୍ସା ଶିକ୍ଷା ବିଭାଗ କଫିଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ବରଖାସ୍ତ କରିଛନ୍ତି ।

୨୦୧୭ ଅଗଷ୍ଟ ମାସରେ ଗୋରଖପୁର ବିଆରଡି ମେଡିକାଲ କଲେଜରେ ଅକ୍ସିଜେନ ଅଭାବରୁ ୬୦ ରୁ ଅଧିକ ଶିଶୁ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ କଫିଲଙ୍କ ସହ ୯ ଜଣ ଲୋକଙ୍କ ଉପରେ ଅଭିଯୋଗ ଆସିଥିଲା । କଫିଲଙ୍କୁ ନିଲମ୍ବନ କରାଯିବା ପରେ ସେ ଇଣ୍ଡିଆନ ମେଡିକାଲ ଆସୋସିଏସନକୁ ବି ସହାୟତା ମାଗିଥିଲେ ।

ଚଳିତ ବର୍ଷ ଅଗଷ୍ଟ ମାସରେ ସରକାର ୨୦୨୦ ଫେବୃଆରୀ ୨୪ ତାରିଖରେ ବିଭାଗୀୟ ଯାଂଚ ପାଇଁ ଦ୍ୱିତୀୟଥର ଦେଇଥିବା ଅଦେଶକୁ ପ୍ରତ୍ୟାହାର କରିନେଇଥିଲେ ଓ ୨୦୧୯ ଏପ୍ରିଲ ୧୫ ତାରିଖରେ ଯାଂଚ ଅଧିକାରୀ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଥିଲେ । ଏହି ରିପୋର୍ଟରେ କୁହାଯାଇଥିଲା କି ଡାକ୍ତର କଫିଲ ଖାନଙ୍କ ବିରୋଧରେ ଭ୍ରଷ୍ଟାଚାର ଓ କୌଣସି ଅବହେଳାର ପ୍ରମାଣ ନାହିଁ, ସେ ସମ୍ପୂଣ୍ଣ ନିର୍ଦ୍ଦୋଷ ।

କଫିଲଙ୍କ ସପକ୍ଷରେ ଏପରି ରିପୋର୍ଟ ଆସିବା ପରେ ଅନୁମାନ କରାଯାଉଥିଲା କି କଫିଲ ଖୁବଶୀଘ୍ର ନିର୍ଦ୍ଦୋଷ ପ୍ରମାଣିତ ହେବେ । ହେଲେ ଯୋଗୀ ସରକାର ଏବେ ତାଙ୍କୁ ବରଖାସ୍ତ କରିବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।