କନକ ବ୍ୟୁରୋ : ଉତ୍ତରାଖଣ୍ଡକୁ ମାଡି ଆସୁଛି କି ବଡ ସଙ୍କଟ? କାରଣ ଉତ୍ତରାଖଣ୍ଡରେ ଥିବା ଗୋପିନାଥ ମନ୍ଦିର କିଛି ମାତ୍ରାରେ ଢଳିପଡିଛି । ସେଭଳି ଗର୍ଭଗୃହକୁ ପାଣି ପଶିବା ହେଉ କି ମନ୍ଦିର ଆଖପାଖ ଅଞ୍ଚଳରେ ଫାଟ ସୃଷ୍ଟି ହେବା କିଛି ଏଭଳି ସଂକେତ ଦେଉଛି । ସ୍ଥାନୀୟ ଲୋକ ଓ ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ଗତ କିଛିବର୍ଷ ହେବ ମନ୍ଦିରର ଢାଞ୍ଚାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ଆଗାମୀ ଦିନରେ ବଡ ସଙ୍କଟ ସାଜିପାରେ । ଏହାପୂର୍ବରୁ ଯୋଶୀ ମଠରେ ଫାଟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା ।

Advertisment

ଗୋପିନାଥ ମନ୍ଦିରର ଗର୍ଭଗୃହ ୩୦ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ । ଯାହାର ରକ୍ଷାଣବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି । ତେବେ ମନ୍ଦିର କିଛି ମାତ୍ରାରେ ଢଳିବା ଏବଂ ପାଣି ପଶିବା ସ୍ଥାନୀୟ ଲୋକ ଓ ଭକ୍ତଙ୍କୁ ଚିନ୍ତିତ କରିଛି । ଏନେଇ ପ୍ରଶାସନକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ସେଭଳି କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି । ଅନ୍ୟପଠେ ଯୋଶୀମଠକୁ ନେଇ ପ୍ରଶାସନର ନିଦ ହଜିଯାଇଛି । ଗତ ଜାନୁଆରୀ ମାସରେ ଯୋଶୀ ମଠର ବିଭିନ୍ନ ସ୍ଥାନରେ ଫାଟ ଦେଖାଯାଇଥିଲା । କିନ୍ତୁ ଏହା ଭିତରେ ପୂର୍ବଭଳି ଆଉ ଫାଟ ଦେଖିବାକୁ ମିଳୁନାହିଁ । କିନ୍ତୁ ଯଦି ଏହି ମୌସୁମୀ ସମୟରେ ଅଧିକ ବର୍ଷା ହୁଏ ତେବେ ପୁଣିଥରେ ପୂର୍ବସ୍ଥିତି ଫେରିପାରେ । ଯେଉଁଥିପାଇଁ ପ୍ରଶାସନ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ।