ରାତି ପାହିଲେ କାରଗିଲ ବିଜୟ ଦିବସ । ମନେ ପଡୁଛନ୍ତି ବୀର ସହିଦ ଓଡିଆ ପୁଅ ଗୋପୀନାଥ ମହାରଣା ।

146

କନକ ବ୍ୟୁରୋ: ୧୯୯୯ ଜୁଲାଇ ୨୬ ତାରିଖରେ କାରଗିଲ ଯୁଦ୍ଧର ଅବସାନ ଘଟିଥିଲା । ପାକିସ୍ତାନକୁ ପରାସ୍ତ କରି ବିଜୟ ଦିବସ ପାଳନ କରିଥିଲେ ଭାରତୀୟ ଯବାନ । ଶତ୍ରୁ ସହ ଲଢେଇ କରି ଏହି ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଯବାନ । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଥମ ଓଡିଆ କାରଗିଲ ସହିଦ ଗୋପୀନାଥ ମହାରଣା । ଦେଶ ପାଇଁ ମାତ୍ର ୨୩ ବର୍ଷ ବୟସରେ ୧୯୯୯ ମେ ୧୯ ତାରିଖରେ ଶତ୍ରୁ ଗୁଳିର ସାମ୍ନା କରିଥିଲେ ଭାରତୀୟ ସେନାରେ ଡ୍ରାଇଭର ଭାବେ କାମ କରୁଥିବା ସହିଦ ଗୋପୀନାଥ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁରେ ବୀର ସହିଦ ଗୋପୀନାଥ ମହାରଣାଙ୍କ ଜନ୍ମ। ସେଠାରେ ରହିଛି ସହିଦ ଗୋପୀନାଥଙ୍କ ପ୍ରତିମୂର୍ତ୍ତି। ପ୍ରତିଦିନ ସହିଦଙ୍କ ମା ଏଠାକୁ ଆସନ୍ତି, ଆଉ ଯେତେବେଳେ ନିଜ ପୁଅର ପ୍ରତିମୂର୍ତ୍ତିରେ ଧୂପ ଦିଅନ୍ତି ସେତେବେଳେ ଆଖିରୁ ଦୁଇଟୋପା ଲୁହ ଝରିପଡ଼େ। ପ୍ରତିମୂର୍ତ୍ତିକୁ ଜୀବନ୍ତ ପୁଅ ଭାବି ନିଜ ପଣତ କାନିରେ ପୋଛି ଦିଅନ୍ତି। ପୁଅର ଛାତିରେ ଆଉଜି କଣ ସବୁ ମନେ ମନେ କହି ପକାନ୍ତି । ଜଣେ ବୀର ସହିଦଙ୍କ ମାଆ ଭାବେ ଯେତିକି ଗର୍ବିତ ପୁଅକୁ ହରାଇ ସେତିକି କଷ୍ଟ ପାଆନ୍ତି ସହିଦଙ୍କ ମାଆ ।

ସହିଦ୍ ଗୋପୀନାଥ ମାଆ ଝୁମୁରି ମହାରଣା ଓ ପିତା ଯଦୁମଣି ମହାରଣାଙ୍କ ବଡପୁଅ । ମାତ୍ର ୧୮ ବର୍ଷ ବୟସରେ ଭାରତୀୟ ସଞ୍ଜୁଆ ବାହିନୀ ୫୨୮ ଏ ଏସପି ବାଟାଲିୟନରେ ଡ୍ରାଇଭର ଭାବେ କାରଗିଲ ସୈନ୍ୟମାନଙ୍କୁ ଗାଡିରେ ନେବା ବେଳେ ଶତୃପକ୍ଷ ଗୁଳିରେ ସହିଦ୍ ହୋଇଥିଲେ ଗୋପୀନାଥ। ଶତ୍ରୁ ଗୁଳିରେ ପ୍ରାଣ ହରାଇବା ପୂର୍ବରୁ ଅତ୍ୟନ୍ତ ପରାକ୍ରମ ଦେଖାଇ ପୁରା ବାଟାଲିୟନକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲେ। ତାଙ୍କ ବୀରତ୍ବ ପାଇଁ ତାଙ୍କୁ ମରଣ ଉପରାନ୍ତ ବହୁ ସମ୍ମାନ ମିଳିଛି।