ଉମେଶ ଗୋପୀନାଥ ଯାଦବ । ପୁଲୱମା ସହିଦ ଯବାନଙ୍କ ପାଇଁ ଏଭଳି କିଛି କରିଗଲେ, ଯେଉଁଥିପାଇଁ ପୂରା ଦେଶବାସୀ ତାଙ୍କୁ କରୁଛନ୍ତି ସଲାମ । 

488

କନକ ବ୍ୟୁରୋ : ଫେବ୍ରୁଆରୀ ୧୪, ୨୦୧୯ । ଗୁରୁବାର ଅପରାହ୍ନ ସମୟ । ପୁଲୱାମାରୁ ଏମିତି ଏକ ଖବର ଆସିଥିଲା ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । କାରଣ ଭାରତୀୟ ଯବାନଙ୍କ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୪୦ ଯବାନ ସହିଦ ହୋଇଯାଇଥିଲେ । ଆଉ ସହିଦ ଯବାନଙ୍କ ପାଇଁ କାନ୍ଦିଥିଲା ଦେଶ, କାନ୍ଦିଥିଲା ମାଟି । ଆଉ ଏହି ଘଟଣାକୁ ଗୋଟିଏ ବର୍ଷ ବିତିସାରିଛି । କିନ୍ତୁ ଏବେ ମଧ୍ୟ ସେହି ବୀର ଯବାନମାନଙ୍କୁ ଦେଶ ଝୁରୁଛି, ମାଟି ଝୁରୁଛି ।  ସହିଦ ୪୦ ଯବାନଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି । ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଛଳ ଛଳ ଆଖିରେ ସହିଦଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ଏପରିକି ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଲିଥପୋରା ସିଆରପିଏଫ କ୍ୟାମ୍ପରେ ଏକ ସ୍ମାରକୀ ନିର୍ମାଣ କରାଯାଇଛି । ଯେଉଁଠି ସହିଦ ୪୦ ଯବାନଙ୍କ ଘରର ମାଟି ଏକତ୍ରିତ କରାଯାଇଛି । ଆଉ ଏହି ମାଟି ଏକତ୍ରିତ କରିବା ପଛରେ ଯେଉଁ ବ୍ୟକ୍ତି ନିଜର ଜି ଜାନ୍ ଲଗାଇ ଦେଇଥିଲେ ସେ ହେଉଛନ୍ତି ଉମେଶ ଗୋପୀନାଥ ଯାଦବ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉମେଶ ଯେଉଁ ପ୍ରୟାସ କରିଛନ୍ତି ତାହା ଜାଣିଲେ ଆପଣ ତାଙ୍କୁ ସଲାମ କରିବେ ।

ଉମେଶ ଗୋପୀନାଥ ଯାଦବ । ଆଜି ପୂର୍ବରୁ ଏହି ନାଁ ଅନେକଙ୍କ ପାଇଁ ଅପରିଚିତ ଓ ଅଜଣା ହୋଇଥିବ ନିଶ୍ଚୟ । କିନ୍ତୁ ଆଜି ସହିଦଙ୍କ ଶ୍ରଦ୍ଧାଞ୍ଜଳି ସଭା ପରେ ପୂରା ଦେଶ ଏହି ବ୍ୟକ୍ତିଙ୍କ ବାବଦରେ ଜାଣିବାକୁ ଚାହୁଁଛି । ପୁଲୱାମା ଆକ୍ରମଣ ସମସ୍ତଙ୍କ ଭଳି ପେଶାରେ ସଙ୍ଗୀତଜ୍ଞ ଥିବା ଉମେଶଙ୍କୁ ମଧ୍ୟ ଦୋହଲାଇ ଦେଇଥିଲା । ଗତବର୍ଷ ଆଜମେରର ଏକ ମ୍ୟୁଜିକ କନଷ୍ଟର୍ଟ ଫେରୁଥିବା ବେଳେ ବିମାନବନ୍ଦରରେ ଲାଗିଥିବା ଟିଭି ସ୍କ୍ରିନରେ ପୁଲୱାମା ଆକ୍ରମଣ ଘଟଣା ଦେଖିଥିଲେ ଉମେଶ । ଆକ୍ରମଣ ପରର ହୃଦୟ ବିଦାରକ ଦୃଶ୍ୟ ତାଙ୍କୁ ବେଶ ବ୍ୟଥିତ କରିଥିଲା । ଘଟଣାରେ ୪୦ ଜଣ ଯବାନ ସହିଦ୍ ହୋଇଥିବା ବେଳେ ପୂରା ଦେଶ ଜଣାଇଥିଲା ଶ୍ରଦ୍ଧାଞ୍ଜଳି । କିନ୍ତୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇ ଚୁପ୍ ବସିନଥିଲେ ଉମେଶ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏପ୍ରିଲ ୯ରେ ଆରମ୍ଭ କରିଥିଲେ ଅଭିଯାନ । ସହିଦ ୪୦ ଯବାନଙ୍କ ଘରକୁ ଯିବାକୁ ମନସ୍ଥିର କରିଥିଲେ ଉମେଶ ।

ଏପ୍ରିଲ ୯ରେ ଆରମ୍ଭ ହୋଇଥିଲା ଉମେଶଙ୍କ ଯାତ୍ରା । ନିଜ କାରରେ ପାଖାପାଖି ୬୧ ହଜାର କିଲୋମିଟର ଯାତ୍ରା କରିବା ସହ ସହିଦ ୪୦ ଯବାନଙ୍କ ଘରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ଉମେଶ । କେବଳ ପରିବାର ଲୋକଙ୍କୁ ଭେଟିନଥିଲେ ବରଂ ସହିଦଙ୍କ ଜନ୍ମସ୍ଥାନ, ସ୍ମାରକୀସ୍ଥଳରୁ ମାଟି ଏକାଠି କରିଥିଲେ ଉମେଶ । କିନ୍ତୁ ଏହି ଯାତ୍ରା ଉମେଶଙ୍କ ପାଇଁ ଏତେ ସହଜ ନଥିଲା । ୬୧ ହଜାର କିଲୋମିଟର ଯାତ୍ରା ମଧ୍ୟରେ ଟଙ୍କା ନଥିବାରୁ ଅନେକ ରାତି ଉମେଶଙ୍କୁ କାରରେ କାଟିବାକୁ ପଡିଥିଲା । ଆଉ ଏହି ଯାତ୍ରା ଗତ କିଛି ଦିନ ପୂର୍ବରୁ ହିଁ ଶେଷ ହୋଇଥିଲା । ଉମେଶ କହିଛନ୍ତି, ଜଣେ ସାଧାରଣ ନାଗରିକ ହିସାବରେ ମୁଁ ନିଜକୁ ଗର୍ବିତ ମନେ କରୁଛି କାରଣ ସମସ୍ତ ସହିଦଙ୍କ ପରିବାରକୁ ଭେଟି ସେମାନଙ୍କ ଠାରୁ ଆର୍ଶୀବାଦ ପାଇଛି ।

୬୧ କିଲୋମିଟରର ଯାତ୍ରା ପରେ ସହିଦ ୪୦ ଯବାନଙ୍କ ଜନ୍ମସ୍ଥାନର ମାଟି ଏକାଠି କରିଥିବାରୁ ଶ୍ରଦ୍ଧାଞ୍ଜଳି ସଭାରେ ଉମେଶଙ୍କୁ ସିଆରପିଏଫ ପକ୍ଷରୁ ସ୍ୱତନ୍ତ୍ର ଅତିଥି ଭାବେ ଡକାଯାଇଥିଲା ଓ ସେଠାରୁ ତାଙ୍କ ଠାରୁ କଳସ ଭର୍ତ୍ତି ମାଟି ନିଆଯାଇଥିଲା ।  ସହିଦ ଯବାନଙ୍କ ପ୍ରତି ଉମେଶଙ୍କ ଏଭଳି ଶ୍ରଦ୍ଧାଞ୍ଜଳି ପ୍ରତ୍ୟେକ ଭାରତୀୟଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ।