କନକ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ୪ଟି ଚିତ୍ର । ପ୍ରଥମଟିରେ ଗୋପାଳକୁ ନେଇ କ୍ରାଇମସ୍ପଟ୍ରେ ତଦନ୍ତକାରୀ ସଂସ୍ଥା କ୍ରାଇମ ସିନ୍ ରି-କ୍ରିଏସନ କରୁଥିବା ସମୟର ଚିତ୍ର । ଏଠାରେ ଏକ ନୀଳ ରଙ୍ଗର ଫୁଲ ହାତ ଟି-ସର୍ଟ ପିନ୍ଧିଛି ଗୋପାଳ । ସେହିପରି ପଲିଗ୍ରାଫ ଓ ନାର୍କୋଟିକ୍ସ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ଗାନ୍ଧିନଗର ନେବାବେଳେ ଝାରସୁଗୁଡା ବିମାନବନ୍ଦରରୁ ଆସିଥିଲା ଆଉ ଏକ ଚିତ୍ର । ଏଠାରେ ଏକ ରାଉଣ୍ଡନେକ୍ ଟି-ସାର୍ଟରେ ନଜର ଆସିଥିଲା ଗୋପାଳ ଦାସ । ସେହିଭଳି ଗୁଜରାଟରୁ ଗୋପାଳ ଫେରିବା ବେଳର ଦୃଶ୍ୟ । ଏଠାରେ ଏକ ଭୟାନକ ଟି-ସାର୍ଟ ପିନ୍ଧିଛି ଗୋପାଳ । ଯେଉଁଥିରେ ଇଂରାଜୀରେ ମେଗା ଡେଥ୍ ବୋଲି ଲେଖାଅଛି । ସେହିପରି ଗୁଜରାଟରୁ ଆଣି ଗୋପାଳକୁ ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କଲାବେଳେ ଏକ ନୀଳ ଓ ଧଳା ରଙ୍ଗର ଷ୍ଟ୍ରିପ ସାର୍ଟ ଗୋପାଳ ପିନ୍ଧିଥିଲା ।

Advertisment

ଜଣେ ବିଚାରାଧୀନ କଏଦୀ, ପୋଲିସ ହେପାଜତରେ ଥିବାବେଳେ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାର କୌଣସି ନିୟମ ନାହିଁ । ତାର ଆବଶ୍ୟକତା ଅନୁସାରେ ପରିବାର ଲୋକ ଦେଇଥାନ୍ତି, ଯାହାକୁ ପୋଲିସ ଯୋଗାଇ ଦିଏ ବୋଲି ଜଣାପଡିଛି । ହେଲେ ଦଣ୍ଡାଦେଶ ପରେ ଜେଲ ହାଜତରେ ରହିବାବେଳେ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ପଡିଥାଏ । ତେବେ ଚର୍ଚ୍ଚା ବଢାଇଛି ଗୁଜାରଟରୁ ଫେରିବା ବେଳେ ଗୋପାଳ ପିନ୍ଧିଥିବା ଏହି ନିର୍ଦ୍ଦିଷ୍ଟ ଟି-ସାର୍ଟ । କାରଣ ଏଥିରେ ଇଂରାଜୀରେ ମେଗା ଡେଥ୍ ବୋଲି ଲେଖାଅଛି । ତା ତଳକୁ ଏକ ଭୟାନକ ଚିତ୍ର ବି ରହିଛି । ଗୋପାଳ ନିର୍ଦ୍ଦିଷ୍ଟଏହି ଟି-ସାର୍ଟ ପିନ୍ଧିବା ପଛରେ କିଛି କାରଣ ରହିଛି କି, ଆମେ ଜାଣିବାକୁ ଅନୁସନ୍ଧାନ କରିଥିଲୁ । ଯାହା ଜାଣିବାକୁ ପାଇଲୁ, ତାହା ବେଶ ରୋମାଞ୍ଚକର ।
- ଆମେରିକା ଲସ ଆଞ୍ଜେଲ୍ସର ଏକ ମ୍ୟୁଜିକ୍ ବ୍ୟାଣ୍ଡ ‘ମେଗାଡେଥ୍’
- ମ୍ୟୁଜିକ୍ ବ୍ୟାଣ୍ଡ ମେଟାଲିକାରୁ ଅଲଗା ହୋଇ ଡେଭ ମଷ୍ଟେନ୍ ଏହି ବ୍ୟାଣ୍ଡ ଗଢିଥିଲେ
- ୧୯୮୫ରେ ‘ମେଗାଡେଥ୍’ ତାର ପ୍ରଥମ ମ୍ୟୁଜିକ ଆଲବମ୍ ରିଲିଜ କଲା
- ଯାହାର ଗୀତ ଥିଲା ‘କିଲିଙ୍ଗ ଇଜ୍ ମାଇଁ ବିଜନେସ୍... ଆଣ୍ଡ ବିଜନେସ୍ ଇଜ୍ ଗୁଡ୍’
- ସୁପାରି ନେଇ ହତ୍ୟା କରିବା କଥା ମଧ୍ୟ ଏହି ଗୀତରେ ରହିଛି

ଗୋପାଳର ଟି-ସାର୍ଟରେ ମେଗାଡେଥ ବୋଲି ଲେଖା ରହିବା ଏବଂ ଏହି ନାଁରେ ଥିବା ମ୍ୟୁଜିକ ବ୍ୟାଣ୍ଡର ଗୀତ କିଲିଙ୍ଗ ଇଜ୍ ମାଇଁ ବିଜନେସ୍ ଅର୍ଥାତ ହତ୍ୟା କରିବା ମୋର ବେଉସା, ଆଣ୍ଡ ବିଜନେସ୍ ଇଜ୍ ଗୁଡ ଅର୍ଥାତ ଏହା ଏକ ଭଲ ବେଉସା ବୋଲି ଜଣାପଡିବା ପରେ ଗୋପାଳର ଟି-ସାର୍ଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କ୍ରାଇମବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁସାରେ ଗୋପାଳ ବାରମ୍ବାର ମୋବାଇଲରେ ଥ୍ରିଲର ମୁଭି ସବୁ ଦେଖୁଥିଲା । ଯାହା ତାକୁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବାକୁ ଉସୁକାଇ ଥାଇପାରେ ବୋଲି ସନ୍ଦେହ ବଢୁଛି । ତେଣୁ ଆମେରିକାର ମ୍ୟୁଜିକାଲ ବ୍ୟାଣ୍ଡ ମେଗାଡେଥ ବାବଦରେ ଗୋପାଳକୁ ଜଣାଥାଇପାରେ ଓ ସେଥିପାଇଁ ସେ ଏଭଳି ଏକ ଟି-ସାର୍ଟି ପିନ୍ଧୁଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।