କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା? ହତ୍ୟା କାଣ୍ଡ ପଛର ପ୍ରକୃତ ରହସ୍ୟ କଣ? ଏନେଇ କ୍ରାଇମବ୍ରାଞ୍ଚକୁ ଦୁଇ ସପ୍ତାହ ଗୋଲ ଗୋଲ ବୁଲାଇବା ପରେ ଶେଷରେ ନାର୍କୋ ଟେଷ୍ଟ ବେଳେ, ଉତ୍ତର ରଖିଛି ଅଭିଯୁକ୍ତ ଗୋପାଳ । ସୂଚନା ଅନୁସାରେ, ଗୁଜୁରାଟର ଗାନ୍ଧୀନଗର ଡିଏଫଏସରେ ଗୋପାଳଙ୍କ ନାର୍କୋ ଟେଷ୍ଟ କରାଯାଇଛି । ନାର୍କୋ ଟେଷ୍ଟ ବେଳେ, ଗୋପାଳକୁ ଏକାଧିକ ପ୍ରଶ୍ନ ପଚରାଯାଇଛି । ଆଉ ସେସବୁ ପ୍ରଶ୍ନର ଉତ୍ତର ରଖିଛି ଗୋପାଳ ।

Advertisment

ସୂଚନା ଅନୁସାରେ ୨ଦିନ ହେଲା ଗୋପାଳର ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାର୍କୋ ଟେଷ୍ଟ କରିବା ପୂର୍ବରୁ ପ୍ରଥମେ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା । ପ୍ରଥମେ ତାର ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା । ତାପରେ ତାକୁ ଇଞ୍ଜେକସନ ଜରିଆରେ ସୋଡିୟମ ପେଣ୍ଟୋଥାଲ ନାମକ ଏକ ଡ୍ରଗ୍ ଦିଆଯାଇଥିଲା । ଇଞ୍ଜେକସନ ଦିଆଯିବାର କିଛି ସମୟ ପରେ, ଅଭିଯୁକ୍ତ ଜଣକ ହିପ୍ନୋଟିକ ଅବସ୍ଥା ବା ସମ୍ମୋହିତ ସ୍ଥିତିକୁ ଆସି ଯାଇଥିଲେ । ଆଉ ସେହିି ଅବସ୍ଥାରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି ।

ନାର୍କୋ ଟେଷ୍ଟରେ ଗୋପାଳ କଣ କହିଛି, ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି । କାରଣ ନାର୍କୋ ଟେଷ୍ଟ ଏମିତି ଏକ ଟେଷ୍ଟ ଯେଉଁଥିରେ ଜଣେ ଅଭିଯୁକ୍ତ ମିଛ କହିବା ପ୍ରାୟତଃ ସମ୍ଭବ ହୋଇନଥାଏ । ନଜର ପକାନ୍ତୁ କଣ ଏହି ନାର୍କୋ ଟେଷ୍ଟ..
ନାର୍କୋ ଟେଷ୍ଟ କ’ଣ?
- ଅଭିଯୁକ୍ତକୁ ଅର୍ଦ୍ଧଚେତନ ଅବସ୍ଥାକୁ ନେଇ ତା’ଠାରୁ ସତ କଣ, ମିଛ କ’ଣ ଜାଣିବାକୁ ପ୍ରଶ୍ନ କରାଯାଏ
- ଏହି ଅବସ୍ଥାରେ ଜଣେ ମନଗଢ଼ା କଥା କହିବାକୁ ସମର୍ଥ ହୋଇନଥାଏ
- ଅର୍ଥାତ୍ ମିଛ କଥା କହି ଅନ୍ୟମାନଙ୍କୁ ଭୁଲାଇବାକୁ ସକ୍ଷମ ହୋଇନଥାଏ ଅଭିଯୁକ୍ତ

୧୪ଦିନ ହେଲା ଅଭିଯୁକ୍ତ ଗୋପାଳ ତଦନ୍ତକାରୀ ଟିମ୍ କବଜାରେ ଅଛି । ହେଲେ ସେ କାହିଁକି ମାରିଲା ତାହା ଆଦାୟ କରିବାରେ ସକ୍ଷମ ହୋଇପାରୁନି ତଦନ୍ତକାରୀ ସଂସ୍ଥା । ସେ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ଭୁଆଁ ବୁଲାଇ ଚାଲିଛି । ତେଣୁ ହତ୍ୟା ରହସ୍ୟ ଉପରକୁ ପରଦା ହଟାଇବା ପାଇଁ ଗୋପାଳର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଗୁରୁବାର ଗୋପାଳର ପଲିଗ୍ରାଫ ଟେଷ୍ଟ ହୋଇଥିବାବେଳେ, ଶନିବାର ହୋଇଛି ନାର୍କୋ ଟେଷ୍ଟ । ଏବେ ଗୋପାଳକୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ ହୋଇଥିଲା ।