କନକ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଥିବା ବେଳେ ଏହା ରାତି ପ୍ରାୟ ୧୨ ଟା ୫୫ ମିନିଟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ‘ଡାଏ’ ରାତି ପ୍ରାୟ ୧୨ଟା ୫୫ ମିନିଟରେ ଗୋପାଳପୁର ଛୁଇଁଥିବା ଡଫଲର ରାଡରରୁ ସୂଚନା ମିଳିଛି। ସ୍ଥଳଭାଗ ଛୁଇଁବା ପରେ ୩୦ ରୁ ୪୦ କି.ମି. ବେଗରେ ପବନ ବହିବା ସହ ଗୋପାଳପୁରରେ ପ୍ରବଳ ବର୍ଷା ଜାରି ରହିଛି। ଇତିମଧ୍ୟରେ ବାତ୍ୟା ‘ଡାଏ’ ଗୋପାଳପୁର ଟପିଥିବା ସୂଚନା ମିଳିଛି।
ଏହାର ପ୍ରଭାବରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ବାତ୍ୟା ‘ଡାଏ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଏହା ସହ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
Follow Us