୬ ମାସ ପରେ ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ । ସର୍ତମୂଳକ ଜାମିନ ଦେଲେ ହାଇକୋର୍ଟ ।

183

କନକ ବ୍ୟୁରୋ: ଡିସେମ୍ବରରେ ଗିରଫଦାରୀ, ଜୁନ୍ରେ ବେଲ୍ । ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଭଳି ମାମଲାରେ ଗିରଫ ହୋଇ ଜେଲରେ ରହିବାର ୬ ମାସ ପରେ ଜାମିନ୍ ପାଇ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହାଇକୋର୍ଟରୁ ସମସ୍ତ ମାମଲାରେ ବେଲ୍ ପାଇବା ପରେ ମୁକୁଳିଛନ୍ତି ଏହି ବହୁ ଚର୍ଚ୍ଚିତ ନେତା ।

ଅତି ନାଟକୀୟ ଥିଲା ପ୍ରଦୀପ ପାଣିଗ୍ରାହୀ ଗିରଫଦାରୀ ପ୍ରସଙ୍ଗ । ପ୍ରଥମେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ପୁଅ ଆକାଶ ପାଠକ ଗିରଫ ହେବା ଆଉ ଶେଷରେ ଠକଙ୍କୁ ସାହାଯ୍ୟ କରିବାକୁ ନିଜ କ୍ଷମତାର ଅପପ୍ରୟୋଗ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ଏହି ବିଧାୟକ ।

ଠକେଇ ନେଇ କ୍ରାଇମବ୍ରାଂଚର ସାଇବର୍ ସେଲରେ ଅଭିଯୋଗ ହେବା ପରେ ଡିସେମ୍ବର ୩ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା । ଟାଟା କଂପାନୀରେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ଆସିଥିଲା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ । ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଉଥିବା ଆକାଶ ପାଠକ ପାଇଁ ପ୍ରଦୀପ ପାଣିଗ୍ରାହୀ କାର୍ଯ୍ୟ କରିଥିବା ଅଭିଯୋଗ ଦାୟର ହୋଇଥିଲା ।

ବଡ କଥା ହେଉଛି, ଗତ ଫେବୃଆରୀରେ କ୍ରାଇମବ୍ରାଂଚ ମାମଲାରେ ଜାମିନ୍ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ । ହେଲେ ଏହି ଅବଧିରେ ତାଙ୍କ ନାଁରେ ଆଉ ୩ଟି ଏଫଆଇଆର ଓ ୨ଟି କଂପ୍ଲେନ କେସ୍ ହେବା ପରେ ଜେଲରୁ ମୁକୁଳିବା ଅବଧି ବିଳମ୍ବ ହୋଇଥିଲା ।

ସୂଚନା ଅନୁସାରେ
-ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଆସିଥିବା ଠକେଇ ପରିମାଣର ଟଙ୍କା ଜମା କରିବାକୁ କୋର୍ଟ କହିଥିଲେ
-ମୋଟ୍ ୪୭ ଲକ୍ଷ ୪୫ ହଜାର ଟଙ୍କା ଜମା କରିବେ ପ୍ରଦୀପ ପାଣିଗ୍ରାହୀ
-ଫେବୃଆରୀ ଶେଷରେ ୨୪ ଲକ୍ଷ ଆଉ ଏହାପରେ ପ୍ରତି ମାସରେ ୫ ଲକ୍ଷ ଜମା ଚାଲିଛି
-ଏବେସୁଦ୍ଧା ୩୯ ଲକ୍ଷ ଟଙ୍କା ଜମା ହୋଇଛି, ଜୁନ୍ ଓ ଜୁଲାଇରେ ଅବଶିଷ୍ଟ ଅର୍ଥ ଦେବେ
-ଦୋଷୀ ସାବ୍ୟସ୍ତ ହେଲେ ଜମା ଅର୍ଥ ବ୍ୟାଜ୍ୟାପ୍ତ ହେବ, ନିର୍ଦ୍ଦୋଷ ହେଲେ ଅର୍ଥ ଫେରିପାଇବେ

ଅନେକ ରୋଚକ ମୋଡ ଦେଇ ଗତି କରିଥିଲା ପାଠକ-ପାଣିଗ୍ରାହୀ ମାମଲା । ଅଭୟ ପାଠକଙ୍କ ଘରେ ଭିଜିଲାନସ ରେଡ୍ ଠାରୁ ମାମଲା ଆରମ୍ଭ ହୋଇଥିଲା । ବେଆଇନ ଭାବେ ଟଙ୍କା ଆଦାୟ ଓ ରାଜ୍ୟ ବାହାରେ ବିଳାସପୁର୍ଣ୍ଣ ଜୀବନ ବଂଚୁଥିବା ଆକଶ ପାଠକ ମଧ୍ୟ ଆସିଥିଲେ ତଦନ୍ତ ପରିସରକୁ । ଉଭୟେ ଗିରଫ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ଅନେକ କଥା ସାମ୍ନାକୁ ଆଣିଥିଲେ ପ୍ରଦୀପ ପାଣିଗ୍ରାହୀ ।

ଏସବୁ ଭିତରେ କରୋନା ସମୟରେ ଚାର୍ଟାର୍ଡ ଫ୍ଲାଇଟରେ ବୁଲିବା, ଦାମୀ ହୋଟେଲରେ ରହିବା ଏବଂ ଲୋକଙ୍କୁ ଠକିବା ଭଳି ଗୋଟିଏ ଗୋଟିଏ ପ୍ରସଙ୍ଗ ସାମ୍ନାକୁ ଆସିବାରେ ଲାଗିଲା । ଶେଷରେ ମାମଲାରେ ଗୁନ୍ଥି ହୋଇଥିଲା ପ୍ରଦୀପ ପାଣିଗ୍ରାହୀଙ୍କ ନାଁ । ଜନ ବିରୋଧୀ ନେତା ଭାବେ ପ୍ରଦୀପଙ୍କୁ ଉପସ୍ଥାପିତ କରି ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିବା ପରେ କ୍ରାଇମବ୍ରାଂଚ ଗିରଫକରି ମାମଲା ଆଗକୁ ବଢାଇଥିଲା । ଆଉ ଶେଷରେ ଜାମିନ୍ ପାଇଛନ୍ତି ଗୋପାଳପୁର ବିଧାୟକ । ଯାହା ଏବେ ଅନେକ ପ୍ରଶ୍ନବାଚୀ ତିଆରି କରୁଛି

-ସତରେ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକି ଜନ ବିରୋଧୀ କାର୍ଯ୍ୟ କରିଥିଲେ?
-ଯଦି ମାମଲା ଦୃଢ ଥିଲା, ତେବେ ପରିଚାଳନାରେ କିଛି ତ୍ରୁଟି ରହିଲା କି?
-ଠକାମୀର ଶୀକାର ହୋଇଥିବା ଲୋକ ବହୁ ମାତ୍ରାରେ କାହିଁକି ଅଭିଯୋଗ କଲେନି?
-ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ହୋଇଥିଲା କି?