ଭିଜିଲାନ୍ସ ପଞ୍ଝାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୀର୍ଘ ୨୩ ଘଣ୍ଟା ଧରି ରେଡ୍ କଲା ଭିଜିଲାନ୍ସ

161

କନକ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୀର୍ଘ ୨୩ ଘଣ୍ଟା ଧରି ରେଡ୍ କଲା ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରେ ରେଡ୍ କରିିଛି ଭିଜିଲାନ୍ସ ଟିମ୍ । ରାତି ସାରା ରେଡ୍ କରାଯାଇଥିଲା । ସୂଚନା ଅନୁସାରେ ଅଧ କିଲୋରୁ ଅଧିକ ସୁନା ଜବତ କରିଛି ଭିଜିଲାନ୍ସ । ଜଣେ ସହଯୋଗୀଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ମିଳିଛି । ଏହି ଟଙ୍କା କାହାର ଓ କେଉଁଠୁ ଆସିଲା ସେନେଇ ତଦନ୍ତ କରୁଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କ ଜମି କିଣା କାଗଜପତ୍ର, ଗାଡି ଓ ସୁନା କିଣା କାଗଜପତ୍ର ଭିଜିଲାନ୍ସ ଜବତ ହୋଇଛି ।

ଜେରା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ଝିଅ, ଝିଆରୀ, ଶାଶୁ ଓ ପୁତୁରା ଉପସ୍ଥିତ ଥିଲେ । ଗତକାଲି ଭିଜିଲାନ୍ସ ଟିମ୍ ବ୍ରହ୍ମପୁରରେ ବିଧାୟକଙ୍କ ସଂପର୍କୀୟ ଓ ସହଯୋଗୀଙ୍କ ଘରେ ଚଢାଉ କରିଥିଲା । ଭୁବନେଶ୍ୱର ସରକାରୀ ବାସଭବନ ସମେତ ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଖୋଳତାଡ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗର ଜଣେ ଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଏଏସପି, ୧୭ ଜଣ ଡିଏସପି ସାମିଲ ଥିଲେ । ୨୦୦୯ରୁ ୨୦୨୦ ମଧ୍ୟରେ ୫ କୋଟି ୫ ଲକ୍ଷରୁ ଅଧିକ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।

ଜାଣନ୍ତୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?

– ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଛି
– ଏହି ଅଭିଯୋଗର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ
– ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଗତବର୍ଷ ଡିସେମ୍ବର ୯ରେ ଲୋକାୟୁକ୍ତଙ୍କ ନିକଟରେ ହୋଇଥିଲା ମାମଲା
– ଡିସେମ୍ବର ୧୧ରେ ଓଡିଶା ଭିଜିଲାନ୍ସକୁ ପୁଣି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ
– ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦(୨)ରେ ତଦନ୍ତରୁ ଜଣାପଡିଲା ଯେ, ଲୋକଙ୍କ ସେବାରେ ଥାଇ ବେଆଇନ ସଂପତ୍ତି ଠୁଳ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ
– ୨୦୦୯ ମେ’ ୫ରୁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କା ସଂପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି
– ଭିଜିଲାନ୍ସ ପକ୍ଷରୁ ଗତ ମେ’ ୨୮ ତାରିଖରେ ତଦନ୍ତ ଶେଷ କରି ଲୋକାୟୁକ୍ତଙ୍କ ନିକଟରେ ଚୂଡାନ୍ତ ରିପୋର୍ଟ ଦେଇଥିଲା ଭିଜିଲାନ୍ସ
– ରିପୋର୍ଟ ପାଇବା ସହ ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଉତ୍ତର ପାଇବା ପରେ ଅନୁସନ୍ଧାନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ
– ଏହାପରେ ଭିଜିଲାନ୍ସ ପକ୍ଷରୁ ଗତ ୪ ତାରିଖ ଦିନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ