ଜେଲରେ କଟିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଥମ ରାତି : ବେଲ୍ ଆବେଦନ ଖାରଜ; ୧୪ ଦିନିଆ ବିଚାର ବିଭାଗକୁ ହାଜତକୁ ପଠାଇଲେ କୋର୍ଟ

ଟାଟା କଂପାନୀରେ ଚାକିରି ଦେବା ନେଇ ଆକାଶଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଂଚ

199

କନକ ବ୍ୟୁରୋ : ଜେଲ ଗଲେ ପ୍ରଦୀପ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ କୋର୍ଟ । ତେବେ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିନାହିଁ କ୍ରାଇମବ୍ରାଂଚ । ଆକାଶ ପାଠକଙ୍କ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ ଗତକାଲି ସଂଧ୍ୟାରେ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଂଚ ।

ଜାଲିଆତି, ଠକେଇ ଓ ଅପରାଧିକ ଷଡଯନ୍ତ୍ର ଭଳି ସଂଗୀନ ଦଫା ଲଗାଇ ଆଜି ସଂଧ୍ୟାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା । ପ୍ରଦୀପଙ୍କ ବିରୋଧରେ ଆଇଟି ଆକ୍ଟ-୨୦୦୦ର ସେକ୍ସନ ୬୬ –ସି ଓ ୬୬-ଡି ଓ ଆଇପିସିର ଧାରା ୪୧୯,୪୨୦. ୪୬୭, ୪୬୮,୪୬୯. ୪୭୧ ଓ ୧୨୦-ବି ଆଧାରରେ ଦଫା ଲଗାଯାଇଛି । କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ଟାଟା କମ୍ପାନୀରେ ଚାକିରୀ କରାଇ ଦେବାକୁ ମିଛ ପ୍ରତିଶ୍ରୁତି ଦେଇ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । ସାଇବର ପୁଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଥିଲା ।

ନିଜକୁ ଟାଟା କମ୍ପାନୀ ପାସେଞ୍ଜର ଡିଭିଜନର ଏମଡି ଭାବେ ଦର୍ଶାଇ ଆକାଶ ପାଠକ ଠକୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପ୍ରଦୀପଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ପ୍ରେସମିଟ୍ ଜାରି କରି ସୂଚନା ଦେଇଛି କ୍ରାଇମବ୍ରାଂଚ । ସେପଟେ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଯାହା ଆଶା କରୁଥିଲେ ତାହା ହୋଇଛି ।