ଖୁବଶୀଘ୍ର ପଦ୍ମ ଧରିପାରନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଶକ୍ତି ବଢ଼ାଇବାକୁ ବିଜେପିର ଉଦ୍ୟମ । ବିଜେଡି କଲା କଟାକ୍ଷ, ବିରୋଧୀ ଶିବିରରେ ନେତାଙ୍କ ଅଭାବ
କନକ ବ୍ୟୁରୋ: ବିଜେପିରୁ ଆରମ୍ଭ ହେବ କି ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଇଂନିସ୍ ? ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୁବଶୀଘ୍ର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକି ନା, ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଦୀପ ପାଣିଗ୍ରାହୀ ଦେଖାଦେଇଥିଲେ । ଆଉ ଏହାପରେ ସେ ବିଜେପିରେ ଯୋଗଦେବେ ବୋଲି ଆକଳନ ଚାଲିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଖିକୁ ଯାହା ଦେଖାଯାଏ, ଯଦିଓ ରାଜନୀତିରେ ଅବିକଲ ସେଇଆ ହୋଇନଥାଏ, ତଥାପି ନିକଟରେ ଥିବା ଲୋକଙ୍କୁ ନିକଟତର ବୋଲି ସାଧାରଣରେ ବିଶ୍ୱାସ ରହିଛି । ପ୍ରାୟ ଦୁଇ ସପ୍ତାହ ଧରି ଯେଉଁ ଚିତ୍ରକୁ ନେଇ ଭିତରେ ଭିତରେ ଚର୍ଚ୍ଚା ହେଉଥିଲା । ନେତାଙ୍କ ମୁହାଁରେ ସେଇ ସମାନ କଥା ଶୁଣିବାକୁ ମିଳିବା ପରେ ସରଗରମ ହୋଇଛି ଓଡ଼ିଶା ରାଜନୀତି ।
- ବିଜେପିରୁ ଆରମ୍ଭ ହେବ କି ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଇଂନିସ୍ ?
- ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ କି ଗୋପାଳପୁର ବିଧାୟକ
ବିଜେଡିରୁ ବହିଷ୍କାର ହେବା ପରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ପ୍ରଦୀପ ପାଣିଗ୍ରାହୀ, ୨୦୨୪ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଇଛି । ଆଉ ଏହି ଚର୍ଚ୍ଚା ଖୋରାକ୍ ଯୋଗାଇଛି ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହର ଦୃଶ୍ୟ । ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ବସିଥିଲେ ପ୍ରଦୀପ । ଆଉ ସେବେଠାରୁ ଗଞ୍ଜାମ ରାଜନୀତି ସରଗରମ ରହିଛି ।
ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ଯଦିଓ ଦଳୀୟ ସଂଗଠନର ଶକ୍ତି ତାଙ୍କ ପାଖରେ ନାହିଁ, ତଥାପି ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଭାବ ରହିଛି । ପ୍ରଦୀପଙ୍କ ଦକ୍ଷତା ଓ ଅଭିଜ୍ଞତା ସହ ଲୋକଙ୍କ ମଧ୍ୟରେ ଥିବା ପ୍ରଭାବ ବିଜେଡିର ଆଧିପତ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ବିଜେଡି ଏହି ଯୁକ୍ତିରେ ସହମତ ନୁହେଁ ।
ନିର୍ବାଚନ ପୂର୍ବରୁ ଦଳ ଡିଆଁ ଚର୍ଚ୍ଚା ଓ ମିଶ୍ରଣ ପୂର୍ବ ନୁଆଁ ନୁହେଁ । କିନ୍ତୁ ବର୍ଷ ବର୍ଷ ଧରି ଜଣେ ନେତାଙ୍କୁ ଗୋଟିଏ ଦଳରେ ଦେଖିଆସୁଥିବା ଜନତା, ଆଉ ଗୋଟିଏ ଦଳରେ କେମିତି ଗ୍ରହଣ କରିବେ, ତାହା ସେତେବେଳେ ଜଣାପଡ଼ିବ ଯେତେବେଳେ ପ୍ରଦୀପ ଆଉ ଏକ ରାଜନୈତିକ ଦଳରେ ସାମିଲ ହେବେ ଏବଂ ନିର୍ବାଚନ ଲଢିବେ । ତେବେ ଏହି ପ୍ରସଙ୍ଗରେ ପ୍ରଦୀପ ପାଣିଗ୍ରାହୀଙ୍କ ବୟାନ ମିଳିପାରିନାହିଁ ।