କନକ ବ୍ୟୁରୋ: ଦୀର୍ଘ ଦିନ ପରେ ସରକାରୀ ବୈଠକରେ ଯୋଗଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହଠାତ ସେ ସରକାରୀ ବୈଠକରେ ଯୋଗଦେବାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଗତକାଲି ବିଧାୟକ ଏହି ବୈଠକରେ ଯୋଗଦେଇଥିଲେ । ଜିଲ୍ଲପାଳଙ୍କ ଆମନ୍ତ୍ରଣରେ ସେ ଏହି ବୈଠକରେ ଯୋଗଦେଇଥିଲେ ବୋଲି କହିଛନ୍ତି । ଆଗକୁ ମଧ୍ୟ ସେ ସରକାରୀ ବୈଠକରେ ଯୋଗଦେବେ ବୋଲି ଆଶା ରଖିଥିବା କହିଛନ୍ତି । ତେବେ ଏତେଦିନ ବ୍ୟବଧାନରେ ବିଧାୟକଙ୍କ ସରକାରୀ ବୈଠକରେ ଯୋଗଦାନ ପଛରେ କ’ ଣ ରହସ୍ୟ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
୨୦୨୦ମସିହା ଡିସେମ୍ବରରେ ବିଧାୟକ ଶ୍ରୀପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ । ପରେ ତାଙ୍କୁ ଜନବିରୋଧୀ କାର୍ଯ୍ୟକ୍ରମ ପାଇଁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଜେଲରୁ ବାହାରିବା ପରେ ସେ ପ୍ରାଶାସନିକ ସ୍ତରରେ ମଧ୍ୟ କୋଣଠେସା ହୋଇ ରହିଥିଲେ । ବିଧାୟକ ହିସାବରେ କୌଣସି ସରକାରୀ ବୈଠକ କିମ୍ବା କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ ମିଳୁନଥିଲା । ଏବେ ହଠାତ୍ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ଜିଲ୍ଲାସ୍ତରୀୟ ବୈଠକରେ ଯୋଗଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଆଡୁ ନିମନ୍ତ୍ରଣ ମିଳିଥିଲା । କଣଠେସା ହୋଇ ରହିଥିବା ବିଧାୟକ ବୈଠକରେ ଯୋଗଦେବା ପରେ ବିଜେଡିରେ ତାଙ୍କର ଭାଗ୍ୟ ବଦଳିବ କି ନାହିଁ ଚର୍ଚା ଆରମ୍ଭ ହୋଇଯାଇଛି ।
Follow Us